ବଲାଙ୍ଗୀର: ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନରେ ଭରପୁର ବଲାଙ୍ଗୀର ସହର । ଘଞ୍ଚ ଜଙ୍ଗଲ ମଧ୍ୟରେ ନୀଳ ଲହରୀମାଳ, ଆଉ ତା ସାଙ୍ଗକୁ ସୁଉଚ୍ଚ ପର୍ବତମାଳ । ଯାହା ଏକ ବଳିଷ୍ଠ ପର୍ଯ୍ୟଟନ ସ୍ଥଳୀର ପ୍ରମାଣ ଦିଏ । ହେଲେ ଆଜି ବି ଏମିତି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟନୀ ସ୍ଥଳର ମାନ୍ୟତା ପାଇ ମଧ୍ୟ ଲୁକ୍କାୟିତ ରହିଛି । ଏମିତି ଏକ ସ୍ଥାନ ଭୀମ ପାହାଡ । ଯାହା ସହର ଠାରୁ ମାତ୍ର 18 କିମି ଦୂର ଦେଓଗାଁ ବ୍ଲକ ଉପରଝର ଗାଁରେ ।
ଐତିହାସିକ ପୃଷ୍ଠଭୂମି, ଆଧ୍ୟାତ୍ମିକ ପରିବେଶ ଓ ପ୍ରାକୃତିକ ସମ୍ପଦ ଭରପୁର ଏ ଅଞ୍ଚଳ । ଆଉ ପାହାଡ ପର୍ବତ, ଶତାଧିକ ଗୁମ୍ପା, ମଠ ମନ୍ଦିର ଏଠି ଏକ ଆଧ୍ୟାତ୍ମିକ ପରିବେଶର ସୃଷ୍ଟି କରେ । ଘଞ୍ଚ ଜଙ୍ଗଲରେ ଜଳାଶୟ ସତେ ଯେମିତି ହାତ ଠାରି ପର୍ଯ୍ୟଟକଙ୍କୁ ଡାକି ନେଉଛି । ଖାଲି ଆଧ୍ୟାତ୍ମିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହା ସୀମିତ ହୋଇ ରହିନାହିଁ । ପ୍ରତିବର୍ଷ ଏଠି ବିଭିନ୍ନ ପୂଜାର୍ଚ୍ଚନା ତଥା ମହୋତ୍ସବରେ ଜମେ ହଜାର ହଜାର ସଂଖ୍ୟକ ଲୋକ ।
କାହିଁ କେଉଁ କାଳରୁ ଭୀମ ପାହାଡରେ ରୀତିନୀତି ଅନୁସାରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା । ଧୀରେ ଧୀରେ ସ୍ଥାନୀୟ ଲୋକଙ୍କ ତଥା କିଛି ଐତିହାସିକଙ୍କ ପ୍ରଚେଷ୍ଟା କ୍ରମେ ଏହା ଲୋକଲୋଚନକୁ ଆସିଥିଲା । ଏହାପରେ ସରକାର ମଧ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ଆନୁସାଙ୍ଗିକ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଏଠି ଏଯାବତ 64ଟି ଗୁମ୍ପା ମିଳିଥିବାବେଳେ ପ୍ରାକ୍ ଐତିହାସିକ ସମୟରୁ କୌଣସି ଏକ ସଭ୍ୟତା ଥିବାର ଜଣାପଡିଛି । ଯାହାର ଅଧିକ ଗବେଷଣା ହେଲେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଗବେଷକ ମତ ଦିଅନ୍ତି । ପରବର୍ତ୍ତୀ ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ପରିବାର ଓ ତାଙ୍କ ସମର୍ଥକ ଏଠାରେ ରହି ଇଂରେଜଙ୍କ ସହିତ ଯୁଦ୍ଧ କରୁଥିଲେ । ଅନେକ ପୁରୁଣା ଶିଳା ଲେଖ ତଥା କିଛି ପ୍ରସ୍ଥର ସାମଗ୍ରୀ ଏଠାରେ ବିଦ୍ୟମାନ ।
ବଲାଙ୍ଗୀରରୁ ଖେଶ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ