ବଲାଙ୍ଗିର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ପ୍ରାୟତଃ ସବୁ ଓକିଲ ସଂଘ ଆନ୍ଦୋଳନ କରି ଆସୁଛନ୍ତି । ଆଉ ଏଥିପାଇଁ କାର୍ଯ୍ୟ ବନ୍ଦ ଭଳି ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଯାହାକୁ ନେଇ ଓକିଲଙ୍କ ବିରୋଧରେ ସୁପ୍ରିମ କୋର୍ଟ ତଥା ଭାରତୀୟ ବାର କାଉନ୍ସିଲ ନୋଟିସ ଜାରି କରିଛନ୍ତି। ତେବେ ଏହାକୁ ପ୍ରତିବାଦ କରି ପଶ୍ଚିମ ଓଡିଶାର ସବୁ ଓକିଲ ବଲାଙ୍ଗୀରରେ ଏକାଠି ହୋଇଛନ୍ତି । ଏବଂ ଏହା ତାଙ୍କ ନ୍ୟାର୍ଯ୍ୟ ଅଧିକାରକୁ କ୍ଷୂର୍ଣ୍ଣ କରୁଥିବା ବେଳେ ଏକ ପାଖିଆ ନିଷ୍ପତ୍ତି ଦିଆଯାଇଛି ବୋଲି ଏମାନେ ଅଭିଯୋଗ ଆଣିଛନ୍ତି।
ସେହିପରି ପୂର୍ବ ଓ ପଶ୍ଚିମ ଓଡିଶା ପ୍ରତି ପାତର ଅନ୍ତର କରାଯାଉଥିବା ବେଳେ ପଶ୍ଚିମ ଓଡିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଆଜି(ଗୁରୁବାର) ଏମାନଙ୍କ ମଧ୍ୟରେ ମିଳିତ ବୈଠକ ହୋଇଥିବା ବେଳେ ଆଗକୁ ବଲାଙ୍ଗୀର ଘୋଷଣା ଭାବରେ କାର୍ଯ୍ୟାନୁଷ୍ଠାନ ସ୍ଥିର କରାଯିବା ସହ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ନେଇ ସବୁ ଓକିଲ ସଂଘ ପକ୍ଷରୁ କୁହାଯାଇଛି ।
ତେବେ ସୁପ୍ରିମକୋର୍ଟ ଏହି ଅଞ୍ଚଳର ସବୁ ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବାର କାଉନ୍ସିଲ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଯାହାକୁ ସବୁ ଓକିଲ ସଂଘ ବିରୋଧ କରିଥିବା ବେଳେ ଏହାକୁ ପ୍ରତିବାଦ କରି ପଶ୍ଚିମ ଓଡିଶାର ସବୁ ଓକିଲ ବଲାଙ୍ଗୀରରେ ଏକାଠି ହୋଇଛନ୍ତି । ଯେଉଁଥିରେ 23 ଗୋଟି ଓକିଲ ସଂଘ ସହ 11ଟି ଜିଲ୍ଲାର ଓକିଲ ଏଥିରେ ସାମିଲ ହୋଇଛନ୍ତି । ତେବେ ବଲାଙ୍ଗିର ଓ ସମ୍ବଲପୁର ଓକିଲ ସଂଘର ଆହ୍ୱାନ କ୍ରମେ ଏହି ମହା ବୈଠକ ଗୁରୁବାର ବଲାଙ୍ଗିରରେ ବସିଛି।
ତେବେ ଜାଣିଶୁଣି ଲୋକଙ୍କ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବିକୁ ଆଣଦେଖା କରାଯାଇ ଓକିଲଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବାର ଏମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହିଭଳି ଚାଲିଲେ ଆଗକୁ ସ୍ୱତନ୍ତ୍ର ଜିଲ୍ଲା ଦାବି ଜୋର ହେବ ବୋଲି ଏମାନେ କହିଛନ୍ତି । ତେବେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତିକୁ ଆଗକୁ ବଲାଙ୍ଗିର ଘୋଷଣା ନାମା ବୋଲି କୁହାଯିବ। ଏହି ନିଷ୍ପତ୍ତି ଘୋଷଣା ନାମା କ୍ରମେ କାର୍ଯ୍ୟାନୁଷ୍ଠାନ ସ୍ଥିର କରାଯିବା ସହ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଉଛି ।
ବଲାଙ୍ଗୀରରୁ ଏସକେ ଓ୍ବାହିଦ, ଇଟିଭି ଭାରତ