ବଲାଙ୍ଗୀର : ଓଡିଶା ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକାକୁ ନେଇ ବିବାଦ ତୁଟିବାର ନା ନେଉନାହିଁ। ସରକାର ଆଜି ପୁଣି ନୂଆ ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ଆଦିବାସୀ ବହୁଳ ବଲାଙ୍ଗୀର ଜିଲ୍ଲାରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ନଥିବାକୁ ନେଇ ଉଠିଛି ଆପତ୍ତି। ଆଗକୁ ଏହାକୁ ନେଇ ଆଦିବାସୀ ସାରା ଓଡିଶାରେ ଆନ୍ଦୋଳନ କରିବେ ବୋଲି ଦେଇଛନ୍ତି ଧମକ ।
ଓଡିଶାରେ ପଞ୍ଚାୟତ ନିର୍ବାଚନକୁ ନେଇ ବେଶ ରାଜନୀତି ହେଉଥିବାବେଳେ ତାଠାରୁ ଅଧିକ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜନୀତି ହେଉଛି। ତେବେ ହାଇକୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ରାଜ୍ୟ ସରକାର ହରଡ ଘଣାରେ ଥିବାବେଳେ ଏବେ ପୁଣି ଆଦିବାସୀ ଜନଜାତିଙ୍କ ସଂରକ୍ଷଣକୁ ନେଇ ଉଠିଛି ଆପତ୍ତି। ତେବେ ସରକାର ଆଜି ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ ବା ଅନୁସୂଚିତ ଜନଜାତି ପାଇଁ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ଏମାନଙ୍କୁ ସଂରକ୍ଷଣ ଦିଆ ଯାଇନାହିଁ। ତେବେ ଏହାକୁ ନେଇ ଆଦିବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସମ୍ବିଧାନର ଧାର 243 ବିକୁ ଏହା ଉଲଂଘନ କରୁଛି ବୋଲି ଏମାନେ ଅଭିଯୋଗ ଆଣିବା ସହ ଆଗକୁ ଏଥି ପାଇଁ ସାରା ଓଡିଶାରେ ଆଦିବାସୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏଥିରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିବା ବେଳେ ରାଜ୍ୟ ସରକାର ଆଦିବାସୀ ବିରୋଧୀ ନୀତି ଧରିଛନ୍ତି ବୋଲି କହିଛନ୍ତି। ତେବେ ପୂର୍ବରୁ ସରକାର OBC ବା ପଛୁଆ ବର୍ଗଙ୍କୁ ଅଣଦେଖା କରିଥିବା ବେଳେ ଏବେ ପୁଣି ଆଦିବାସୀଙ୍କୁ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି । ଏହା ବିରୋଧରେ ଲୋକ କୋର୍ଟକୁ ଯିବା ସହ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି । ତେବେ ସୂଚନା ଅନୁସାରେ ବଲାଙ୍ଗୀରରେ ମୋଟ ଜଣ ସଂଖ୍ୟା 16 ଲକ୍ଷ 48 ହଜାର 997 ମଧ୍ୟରୁ ଏସଟି ବା ଆଦିବାସୀ ଜନଜାତି ସଂଖ୍ୟା 3 ଲକ୍ଷ 47 ହଜାର 164 ରହିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ