ବଲାଙ୍ଗୀର: ବଲାଙ୍ଗୀରରେ ଏକ ଡକାୟତି ଘଟଣାରେ ଡକାୟତଙ୍କୁ ଫିଲ୍ମ ଷ୍ଟାଇଲରେ ଧରିଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲାର ଏ ସିଦ୍ଧୁ ଓ ଯାଜପୁରର ବିଜୟ ଦାସ । ସୂଚନାନୁସାରେ ବଲାଙ୍ଗୀର ପାଟଣାଗଡ଼ ପାଢେଲ ଗାଁର କପା ଚାଷୀ ସର୍ବେଶ୍ଵର ପଟେଲ ଆଜି ବ୍ୟାଙ୍କରୁ କପା ବିକ୍ରି ଟଙ୍କା ଉଠାଇ ନିଜ ସମ୍ପର୍କୀୟଙ୍କ ସହ ଏକ କାର୍ ରେ ପାଟଣାଗଡ ରାମଜୀଛକ ଏକ କପଡା ଦୋକାନକୁ ଯାଇଥିଲେ ।
ଦୋକାନରୁ ଆସି କାରରେ ବସିବା ସମୟରେ ଏକ ହଳଦିଆ ପଲସର ଗାଡିରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଧରି ଫେରାର ମାରିଥିଲେ । ଏ ବିଷୟରେ ସର୍ବେଶ୍ଵର ତୁରନ୍ତ 112କୁ ଜଣାଇଥିଲେ । ପରେ ପାଟଣାଗଡ଼ ଥାନାଧିକାରୀ ତୁରନ୍ତ ସମସ୍ତ ଥାନାକୁ ଜଣାଇଥିଲେ । ବଲାଙ୍ଗୀର ଏସଡିପିଓ ନିଜେ ଝାଙ୍କରପାଲି ଗାଁରେ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଲେ ଲୁଟେରାମାନେ ଫେରାର ମାରିଥିଲେ ।
ପରେ ଏସଡିପିଓ ପିଛା କରି ସଦର ଥାନା ସମ୍ମୁଖରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ହେଲେ ଡକାୟତ ମାନେ ତାଙ୍କ ଉପରକୁ ଗାଡ଼ି ମଡାଇ ଖସି ପଳାଇବା ଉଦ୍ୟମ କରୁଥିଲେ । କିନ୍ତୁ ପୋଲିସ ଫିଲ୍ମ ଷ୍ଟାଇଲରେ ସମସ୍ତଙ୍କୁ କାବୁ କରିଥିଲେ । ପାଟଣାଗଡ଼ ଥାନାଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବାଇକ, ଟଙ୍କା ସହ ୨ଜଣଙ୍କୁ କାବୁ କରି ନେଇଥିଲା ।
ଲୁଟ୍ ଟଙ୍କା ମିଳିବା ସହ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଏହାକୁ ନେଇ ସର୍ବେଶ୍ଵର ପାଟଣାଗଡ଼ ଥାନାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଜବତ ହୋଇଥିବା ଟଙ୍କା ବ୍ୟାଗରେ ସର୍ବେଶ୍ଵରଙ୍କର ୫ଲକ୍ଷ ଟଙ୍କା ଥିଲା । ଲୁଟେରାଙ୍କ ଠାରୁ ଏକ ହଳଦିଆ ରଙ୍ଗର ପଲସର ବାଇକ ସହ 5 ଲକ୍ଷ ଟଙ୍କା ଓ ଏକ ମୋବାଇଲ ଜବତ କରିଥିବା ବଲାଙ୍ଗିର ଏସଡିପିଓ ତୋଫାନ ବାଗ ପାଟଣାଗଡ଼ରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବଲାଙ୍ଗୀର