ବଲାଙ୍ଗୀର: ୟୁକ୍ରେନରେ ପଶି ମିଲିିଟାରୀ ଅପରେସନ ଆରମ୍ଭ କରିଛି ଋଷିଆ । ଏହାପରେ ସେଠାରେ ଫସି ରହିଥିବା ଭାରତୀୟ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଆ ମଧ୍ୟ ସାମିଲ ରହିଛନ୍ତି । ବଲାଙ୍ଗୀର ଜଣେ ଓଡ଼ିଆ ଛାତ୍ର ମଧ୍ୟ ସେଥିରେ ସାମିଲ ଅଛନ୍ତି । ବର୍ତ୍ତମାନ ଛାତ୍ରଙ୍କ ପରିବାର ଲୋକେ ତାଙ୍କୁ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ୟୁକ୍ରେନ୍ରେ ଫସି ରହିଥିବା ଛାତ୍ର ଜଣକ ହେଉଛନ୍ତି ଟିଟିଲାଗଡର ପାଣ୍ଡବ କୁମାର ତ୍ରିପାଠୀଙ୍କ ପୁଅ ସାଇ ସ୍ୱରୂପ ତ୍ରିପାଠୀ । ସେ 2016ରୁ ସେଠାରେ ହାର୍କିଭ ଜାତୀୟ ବିଶ୍ବବିଦ୍ୟାଳୟରେ ଏମ୍ବିବିଏସ୍ ପଢ଼ୁଛନ୍ତି । ତେବେ ଆଜି(ଗୁରୁବାର) ସକାଳୁ ସାଇ ସ୍ୱରୂପ ନିଜ ପରିବାର ବର୍ଗଙ୍କ ସହ କଥା ହୋଇଥିବା ନେଇ ତାଙ୍କ ବାପା ସୂଚନା ଦେଇଛନ୍ତି । ସେ ରହୁଥିବା ସ୍ଥାନରେ ଏକ ମିସାଇଲ ପଡ଼ିଥିବା ସୂଚନା ମଧ୍ୟ ଦେଇଛନ୍ତି ।
ବର୍ତ୍ତମାନ ସେ ଭାରତ ଫେରି ଆସିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ବର୍ତ୍ତମାନ ପାଣ୍ଡବ କୁମାରଙ୍କ ପୁଅ କେଉଁ ଅବସ୍ଥାରେ ରହିଛି ସେନେଇ କୌଣସି ସୂଚନା ମିଳି ପାରିନାହିଁ । ତାଙ୍କ ପୁଅକୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ