ବଲାଙ୍ଗୀର: ନିକଟରେ ଭାରତର ସର୍ବଶ୍ରେଷ୍ଠ ସ୍କୁଲ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଓଡ଼ିଶାର ଦୁଇଟି ସ୍କୁଲ ସ୍ଥାନ ପାଇଥିବା ବେଳେ ବଲାଙ୍ଗୀରର ପଥର ଚେପା ସରକାରୀ ଆଦର୍ଶ ବିଦ୍ୟାଳୟ ଦେଶର ସର୍ବଶ୍ରେଷ୍ଠ ସ୍କୁଲ ତାଲିକାରେ ଦଶମ ସ୍ଥାନରେ ରହିଛି । ଯାହା ସାରା ଓଡ଼ିଶାରେ ପାଇଁ ଆଣି ଦେଇଛି ଗର୍ବ ଓ ଗୌରବ । ତେବେ ବିଭିନ୍ନ ୧୪ଟି ମାନଦଣ୍ଡରେ ଏହି ସ୍କୁଲର ଉପଲବ୍ଧିକୁ ନେଇ ଏହି ରାଙ୍କିଂ ମିଳିଛି । ଯେଉଁଥିରେ ଶିକ୍ଷକ ମାନଙ୍କର କଲ୍ୟାଣ ସହ ବିକାଶ, ଶିକ୍ଷକଙ୍କ ଦକ୍ଷତା, ଆଧୁନିକୀକରଣ, ଏକାଡେମୀର ସ୍ଥିତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଧ୍ୟାନ ଦେବା, ପାଠ ଛଡା ଛାତ୍ର ଛାତ୍ରୀଙ୍କ ଅନ୍ୟ ବିଷୟ ଉପରେ ଶିକ୍ଷା, ଅନଲାଇନ ପାଠପଢା ଓ ତାର ପ୍ରଭାବ, ରକ୍ଷଣାବେକ୍ଷଣ, ଅଭିଭାବକଙ୍କ ସହଭାଗିତା, ଭିତ୍ତିଭୂମି, ସ୍ୱତନ୍ତ୍ର ଶିକ୍ଷଣ ପଦ୍ଧତ୍ତି, ସାମାଜିକ ସମ୍ପର୍କ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଏହି ରାଙ୍କିଙ୍ଗ ଦିଆଯାଇଛି।
ତେବେ ବଲାଙ୍ଗୀର ପଥର ଚେପା ଆଦର୍ଶ ବିଦ୍ୟାଳୟ ୨୦୧୬ରେ ରାଜ୍ୟ ସରକାର ସ୍ଥାପିତ କରିଥିଲେ । ଉଦ୍ଦେଶ୍ୟ ଥିଲା ଏ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ସିବିଏସଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷାଦାନ କରିବା ଓ ତାଙ୍କର ସର୍ବାଙ୍ଗୀନ ଉନ୍ନତି କରିବା । ତେବେ ସ୍କୁଲ ସ୍ଥାପିତ ହେବା ଦିନ ଠାରୁ ଏଠିକାର ପରୀକ୍ଷା ଫଳ ସବୁବେଳେ ଶତପ୍ରତିଶତ ରହିଆସିଛି । ସେହିପରି ଏଠିକାର ଛାତ୍ରଛାତ୍ରୀ ମାନେ ସବୁବେଳେ ଅଧିକ ମାର୍କ ରଖି ସାରା ଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସେହିପରି ଏଠିକାର ଛାତ୍ରଛାତ୍ରୀ ମାନେ ଖେଳକୁଦରେ ମଧ୍ୟ ଆଗୁଆ ଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ନାଁ କରିଛନ୍ତି।
ଏହାଛଡା ନିକଟରେ ନୀତି ଆୟୋଗ ଦ୍ୱାରା ଏଠିକାର ଜଣେ ଛାତ୍ର ୟୁଏଇ ଯିବାର ମଧ୍ୟ ଅଛି। ତେବେ ଏହିସବୁ ଉପଲବଧି ସାଙ୍ଗକୁ ଏଠିକାର ଭିତ୍ତିଭୂମି ଉଚ୍ଚ ଓ ଆଧୁନିକ ଥିବା ବେଳେ ଛାତ୍ରଛାତ୍ରୀ ଏହାର ଉପଯୋଗ କରି ସବୁବେଳେ ସଫଳତା ପାଇଁ ଆସୁଛନ୍ତି। ଯେଉଁଥିରେ ସ୍କୁଲ ମଧ୍ୟରେ ସ୍ପିଡ଼ ୱାଇଫାଇ ସେବା, ସ୍ମାର୍ଟ କ୍ଳାସରୁମ, ସ୍ମାର୍ଟ ଲାଇବ୍ରେରୀ, ଖେଳ ପଡିଆ ଓ ଦକ୍ଷ ଶିକ୍ଷକଙ୍କ ପାଇଁ ଏହି ସ୍କୁଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ସାରା ଦେଶରେ ନିଜର ସ୍ଥାନ ସର୍ବଶ୍ରେଷ୍ଠ ସ୍କୁଲ ମଧ୍ୟରେ ସ୍ଥାନିତ କରିଛି । ତେବେ ଗତ ବର୍ଷ ରାଙ୍କିଂରେ ଏହି ସ୍କୁଲ ପଞ୍ଚମ ଥାନାରେ ରହିଥିଲା । ହେଲେ କୋରୋନା ଯୋଗୁଁ ପରୀକ୍ଷା ନହେବା ଓ ପାଠ ପଢ଼ାରେ ବ୍ୟାହତ ହେବା ଯୋଗୁଁ ଆଜି ଦଶମ ସ୍ଥାନକୁ ଏହି ସ୍କୁଲ ସ୍ଥାନିତ ହୋଇଥିବାର କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ସଠିକ ଭାବରେ ପାଠ ପଢା ପାଇଁ ସମୟ ମିଳିଥିଲେ ଏହି ସ୍କୁଲ ନିଶ୍ଚିତ ଭାବରେ ଆହୁରି ଆଗକୁ ଥା’ନ୍ତା ବୋଲି ମଧ୍ୟ ଏମାନେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ