ବଲାଙ୍ଗୀର: ଦୀର୍ଘଦିନରୁ ନିଖୋଜ ଥିବା ସୁନା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ଜିଲ୍ଲାର ଏକ ଜଙ୍ଗଲରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବ୍ୟବସାୟୀଙ୍କୁ କେହି ଦୁର୍ବୃତ୍ତ ଅପହରଣ ପରେ ହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ହାଟିସରା ଗ୍ରାମର ସୁନା ବ୍ୟବସାୟୀ ଗଜାନନ ମେହେର ଗତ 5 ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଗଜାନନ 5 ତାରିଖ ଦିନ ଘରୁ ବାହାରି ପାଟଣାଗଡ ଅଭିମୁଖେ ଯାଇଥିଲେ, କିନ୍ତୁ ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ 6 ତାରିଖ ଦିନ ସମ୍ପର୍କୀୟଙ୍କ ପକ୍ଷରୁ ଏନେଇ ଦେଓଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ।
ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ପୋଲିସ ଖୋଜାଖୋଜି କରି ଆଜି(ସୋମବାର) ତାଙ୍କ ମୃତଦେହ ଉଦ୍ଧାର କରିଛି । ପାଟଣାଗଡ ଦେଓଗାଁ ସୀମାନ୍ତ ମୁଦଘାଟ ଟିପକାନି ଜଙ୍ଗଲରୁ ଗଜାନନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ ଏକ ସାଇକେଲ ମଧ୍ୟ ଜବତ କରିଛି ପୋଲିସ । ଅନ୍ୟପଟେ କେହି ଦୁର୍ବୃତ୍ତ ଗଜାନନଙ୍କୁ ଅପହରଣ ପରେ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁ ଥିବାବେଳେ ମାମଲାରେ କେତେଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ବଲାଙ୍ଗୀରରୁ ମହମ୍ମଦ ଓ୍ବାହିଦଙ୍କ ରିପୋର୍ଟ, ଇଟିଭି ଭାରତ