ବଲାଙ୍ଗୀର: ପ୍ରସିଦ୍ଧ ହରିଶଙ୍କର ପୀଠକୁ ସରକାରଙ୍କ ଉପେକ୍ଷା ଅଭିଯୋଗ । ପ୍ରସ୍ତାବିତ ହରିଶଙ୍କର ନୃସିଂହ ନାଥ ପୀଠକୁ ରୋପ ୱେ ବ୍ୟବସ୍ଥା ବାତିଲ ପରେ ତେଜିଛି ଆନ୍ଦୋଳନ । ଏହାକୁ ନେଇ ବଲାଙ୍ଗୀର କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନକାରୀମାନେ ହରିଶଙ୍କରରେ ଥିବା ଝରଣା କୁଣ୍ଡରେ ପାଣି ଭିତରେ ଗତ କାଲିଠାରୁ ଧାରଣା ଦେଇଛନ୍ତି ।
ଧାରଣା ଦେଇଥିବା ଜଣେ ଆନ୍ଦୋଳନକାରୀ ଗୁରୁତର ହୋଇଥିବାବେଳେ, ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆଜି ବି ଜାରି ରହିଛି । ହରିଶଙ୍କର ପୀଠ ଥିବା ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ହରିଶଙ୍କର ଓ ନୃସିଂହନାଥରେ ବିକାଶର ନକ୍ସା, ଡିସେମ୍ବର 2022 ସୁଦ୍ଧା କାର୍ଯ୍ୟ ସାରିବା ଲକ୍ଷ୍ୟ
ଯେପର୍ଯ୍ୟନ୍ତ ସରକାର ଏଠାରେ ବିକାଶମୂଳକ କାର୍ଯ୍ୟ କରିବା ସହ ରୋପ୍ ୱେ ନିର୍ମାଣ ପାଇଁ ପଦକ୍ଷେପ ନ ନେବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି କୋଶଳ ମୁକ୍ତି ମୋର୍ଚ୍ଚା । ସୂଚନା ଥାଉକି, ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ପ୍ରସିଦ୍ଧ ହରିଶଙ୍କର, ନୃସିଂହନାଥ ବିକାଶ କାର୍ଯ୍ୟ 2022 ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହରିଶଙ୍କର, ନୃସିଂହନାଥ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ, ପାର୍କିଂ, ଭେଣ୍ଡିଂ ଜୋନ୍, ରିଲିଜିୟସ୍ ଷ୍ଟ୍ରିଟ୍, କଲଚରାଲ୍ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ ।
ଏହାସହ ପାରମ୍ପରିକ ହର୍ବାଲ ସେଣ୍ଟର ମଧ୍ୟ କରାଯିବ । ଉଦ୍ୟାନ, ପିକନିକ୍ ଜୋନ୍, କିଡ୍ସ ଜୋନ୍, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମନ୍ଦିରର ଆଲୋକୀକରଣ, ଧର୍ମଶାଳା, ଭୋଗ ମଣ୍ଡପ ଓ ରୋଶଶାଳାର ପୁନରୁଦ୍ଧାର କରାଯିବ । 18 କିଲୋମିଟର ଟ୍ରେକିଂ ଟ୍ରାକ୍, କାଫେ, ଓ୍ବାଚ ଟାଓ୍ବାର ନିର୍ମାଣ କରାଯିବା ନେଇ ପ୍ଲାନ ତିଆରି କରାଯାଇଛି।
ଇଟିଭି ଭାରତ, ବଲାଙ୍ଗୀର