ବଲାଙ୍ଗୀର: ଟଙ୍କା ପାଇଁ ମଣିଷ ଭୁଲିଲା ନିଜର କର୍ତ୍ତବ୍ୟ । ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପର ହାତରେ ଟେକି ଦେଲା । ଏହା କୌଣସି ରିଲ ଲାଇଫ କଥା ନୁହଁ, ରିଏଲ୍ ଲାଇଫରେ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ବେଲପଡ଼ା ଥାନା ସୁଲେକେଲା ଗାଁରେ । ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଜେଲ ପଠାଇଥିବା ବେଳେ ସ୍ତ୍ରୀକୁ ରାଜସ୍ଥାନରୁ ଉଦ୍ଧାର କରିଛି ପୋଲିସ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ୬ ମାସ ଆଗରୁ ସୁଲେକେଲାର ରାଜେଶ ରଣା ଟିକ୍ରାପଡାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠେ । ପ୍ରେମ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ ବି କଲେ । ପରେ ଜୁଲାଇ ମାସରେ ପରିବାର ଲୋକେ ଉଭୟଙ୍କ ବିବାହ କରିଥିଲେ । ହେଲେ ଅଗଷ୍ଟ ମାସରେ ବାହାର ରାଜ୍ୟକୁ ଇଟା ଗଢ଼ିଯିବା ବାହାନାରେ ସ୍ତ୍ରୀକୁ ରାଜସ୍ଥାନର ମନଝୋଲାକୁ ନେଇଥିଲା ସ୍ବାମୀ । ସେଠାରେ ସ୍ତ୍ରୀକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିଲା ରାଜେଶ। ହେଲେ ଝିଅକୁ ବାପ ଘର ଲୋକେ ଯୋଗାଯୋଗ କରି ନ ପାରିବାରୁ ସନ୍ଦେହ ଜାତ ହୋଇଥିଲା ।
ଏନେଇ ଗତ ୨୧ ତାରିଖରେ ବେଲପଡା ଥାନାରେ ଲିଖିତ ଭାବରେ ଜଣାଇଥିଲେ ଝିଅର ବାପା । ଏସପିଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ପୋଲିସ ରାଜସ୍ଥାନକୁ ଯାଇ ଅଭିଯୁକ୍ତ ରାଜେଶର ସ୍ତ୍ରୀକୁ ବହୁ କଷ୍ଟରେ ଉଦ୍ଧାର କରିଛି । ଦାନା ପାଇଁ ଦାଦନ ସାଜୁଛି ମଣିଷ । ହେଲେ ଟଙ୍କା ପାଇଁ ସ୍ତ୍ରୀକୁ ଅନ୍ୟ ହାତରେ ଦେଇ ଦେବା କଣ ଜଣେ ସ୍ଵାମୀର କର୍ତ୍ତବ୍ୟ । ଦିନେ ଯାହାକୁ ପ୍ରେମ କରି ବାହା ହୋଇଥିଲା ତାକୁ ଲକ୍ଷେ ଟଙ୍କା ପାଇଁ ପର କରିଦେବା ନିହାତି ଭାବରେ ଚିନ୍ତାଜନକ ବିଷୟ ।
ବଲାଙ୍ଗୀରରୁ ଶେଖ ମହମ୍ମଦା ୱାହିଦ, ଇଟିଭି ଭାରତ