ବଲାଙ୍ଗୀର: ଆରପାରିରେ ପ୍ରସିଦ୍ଧ ଏ ପାନ ବାଲା ବାବୁ ଗାୟକ ଅନିଲ ହରିପାଲ । 90 ଦଶକରେ ଅନେକ ଭାଷାରେ ହିଟ ଗୀତ ଗାଇ ସମସ୍ତଙ୍କ ହୃଦୟରେ ଘର କରିଥିଲେ ଅନିଲ । ଆଜି ସେ ସ୍ବର ସବୁଦିନ ପାଇଁ ନୀରବି ଯାଇଛି । ଗରିବୀ ସଂଘର୍ଷ ମଧ୍ୟରେ ନିଜକୁ ଜଣେ ଆଗ ଧାଡ଼ିର ଗାୟକ ଓ କଳାକାର ଭାବରେ ପ୍ରତିଷ୍ଠିତ କରି ପାରିଥିଲେ ଅନିଲ ହରିପାଲ । ଆଉ ତାଙ୍କ ସ୍ବର ଶୁଣିବାକୁ ମିଳିବ ନାହିଁ ଅଫେରା ରାଇଜର ଯାତ୍ରାରେ ଅନିଲ ହରିପାଲ ।
'ଏ ପାନ ବାଲା ବାବୁ' ସୁପରହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଥିଲେ ଅନିଲ । 90 ଦଶକର ସୁପରହିଟ ଗାୟକ ଭାବରେ ସେ ଜଣାଶୁଣା ଥିଲେ । ଭୋଜପୁରୀ, ସମ୍ବଲପୁରୀ, କୋଶଳୀ, ଓଡ଼ିଆ ଓ ମରାଠୀ ଗୀତ ଗାଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ଏବେ ସେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସମ୍ବଲପୁରୀ ଆଲବମ ଗୀତ ଏ ପାନ ବାଲା ବାବୁ ଗୀତ ଗାଇ ସେ ଓଡ଼ିଆ ଆଲବମ ଜଗତରେ ପାଦ ଥାପି ଥିଲେ । ଏହି ଗୀତ ମେଗା ହିଟ ହେବା ପରେ ସେ ପରିଚୟ ପାଇଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ । 90 ଦଶକ ସେ ଓଡ଼ିଆ, ମରାଠୀ, କୋଶଳୀ, ଭୋଜପୁରୀ ଗୀତ ଗାଇ ଅନେକ ଖ୍ୟାତି ଅର୍ଜନ କରିଥିଲେ । ରଙ୍ଗବତୀର ଗାୟକ ଜିତେନ୍ଦ୍ର ହରିପାଲଙ୍କ ସମ୍ପର୍କରେ ଆସି ସେ ଓଡ଼ିଆ ଆଲବମ ଜଗତର ଏକ ସେନ୍ସନସନ୍ ହୋଇ ଯାଇଥିଲେ ।
ସମୟ ତାଙ୍କ ପାଇଁ ସବୁବେଳେ ସମାନ ରହି ନ ଥିଲା । ଛୋଟ ଦିନରୁ ଗରିବୀ ଓ ସଂଘର୍ଷ ଭରା ଜୀବନ ଜୀଇଁ ଥିବାବେଳେ କିଛି ବର୍ଷ ହେବ ସେ ଜୀବନ ଜୀବିକା ପାଇଁ ସଂଘର୍ଷ କରି ଆସୁଥିଲେ । ଅନିଲ ହରିପାଲ ମୂଳତଃ ବଲାଙ୍ଗୀର ଦାବକାନି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ଛୋଟ ସମୟରେ ତାଙ୍କ ମାଆ ବାପା ସହ ସୁନ୍ଦରଗଡ଼ ଚାଲି ଯାଇଥିଲେ । ସେଠି ତାଙ୍କ ବାପା ଅବଧୂତ ହରିପାଲ ଓ ମା’ ଦହନା ହରିପାଲ ଏକ ଖଣିରେ ଦିନ ମଜୁରିଆ ଭାବରେ କାମ କରି ଆସୁଥିଲେ । ପରବର୍ତ୍ତୀ ସମୟରେ ସେ ବାପାମାଙ୍କ ସହ ବଲାଙ୍ଗୀର ଫେରି ଆସି ଆଗଲପୁର ରିନ ବଚନ ଗ୍ରାମରେ ରହୁଥିଲେ । ତାଙ୍କ ବାହାଘର ପରେ ପତ୍ନୀଙ୍କ ସହ ସେ ସେଠି ରହୁଥିଲେ । ଛୋଟ ଦିନରୁ ସଙ୍ଗୀତ ପ୍ରତି ତାଙ୍କର ଶ୍ରଦ୍ଧା ଓ ଉତ୍ସାହ ତାଙ୍କୁ ଦିନେ ଏକ ଗାୟକ ଭାବରେ ଗଢି ତୋଲିଥିଲା । ଗରିବୀ ସଂଘର୍ଷ ମଧ୍ୟରେ ନିଜକୁ ଏକ ଆଗ ଧାଡ଼ିର ଗାୟକ ଓ କଳାକାର ଭାବରେ ପ୍ରତିଷ୍ଠିତ କରି ପାରିଥିଲେ ଅନିଲ ହରିପାଲ ।
କ୍ୟାସେଟ ଆଲବମରେ ସେ ଅନେକ ଖ୍ୟାତି ଓ ସମ୍ମାନ ଅର୍ଜନ କରିଥିଲେ । 90 ଦଶକ ପରେ କ୍ୟାସେଟ୍ ବନ୍ଦ ହେବା ପରେ ସଙ୍ଗୀତ ଇଣ୍ଡଷ୍ଟ୍ରି ଭାରି କ୍ଷତି ସହିଥିଲା । ସେହିପରି ଗୋଟିଏ ପରେ ଗୋଟିଏ କମ୍ପାନୀ ବନ୍ଦ ହେବାରେ ଲାଗିଥିଲା । ଏହାର ସିଧା ସଳଖ ପ୍ରଭାବ ଅନିଲ ହରିପାଲଙ୍କ ଉପରେ ପଡିଥିଲା । ପରିସ୍ଥିତି ଏମିତି ହେଲା ଯେ ତାଙ୍କୁ ପେଟ ପାଇଁ ଦିନ ମଜୁରିଆ ଭାବରେ କାମ କରିବାକୁ ପଡ଼ିଥିଲା । ଏପରିକି ମନରେଗା ଯୋଜନାରେ ସେ ଜବ କାର୍ଡ ପାଇ କାମ କରୁଥିଲେ । ଅସୁସ୍ଥ ହେବା ପରେ ଘରେ ରହୁଥିଲେ । ତାଙ୍କ ସ୍ତ୍ରୀ କୁନ୍ତଳା ହରିପାଲ ବାହାରକୁ ଯାଇ ଦିନ ମଜୁରିଆ ଭାବରେ କାମ କରି ପେଟ ପୋଷୁଥିଲେ । କିଛି ଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇଥିଲେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସା ଦିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଗାଁ ରିନ ବଚନ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ଇଟିଭି ଭାରତ, ବଲାଙ୍ଗୀର