ବଲାଙ୍ଗୀର: ଧରା ପଡ଼ିଲା ମିଛ ନାଟକ । ଫାଇନାନ୍ସ କମ୍ପାନୀର ଟଙ୍କା ଲୁଟ୍ ନାଟକର ପର୍ଦ୍ଦାଫାସ । ଥରେ ନୁହେଁ ତିନି ଥର ଏଭଳି ଲୁଟ୍ ହୋଇଥିବାର ନାଟକ ରଚି ଟଙ୍କା ଗାଏବ କରିଥିଲେ ଜଣେ କର୍ମଚାରୀ । ଘଟଣାରେ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ସହ ଅନ୍ୟ ଦୁଇ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ନଗଦ ୭୦ ହଜାର ଟଙ୍କା ଓ ଦୁଇଟି ବାଇକ୍ ଏବଂ ମୋବାଇଲ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ।
ପୋଲିସ ସୂଚନା ଅନୁସାରେ, ଗତ ନଭେମ୍ବର ୨୨ ତାରିଖରେ ଭାରତ ଫାଇନାନ୍ସ କମ୍ପାନୀର ରିକଭରୀ ଏଜେଣ୍ଟ ବିଜୟ ନାଗ ୮୪,୮୫୦ ଟଙ୍କା ଅସୁଲ କରିଥିଲା । ସେହି ଟଙ୍କା ନିଜେ ହଡ଼ପ କରିବା ପାଇଁ ସହଯୋଗୀଙ୍କ ସହ ଯୋଜନା କରିଥିଲା । ପୂର୍ବ ଯୋଜନା ମୁତାବକ ଟଙ୍କା ଅସୁଲ କରି ଲୋଇସିଂହା କରକଚିଆ ଛକକୁ ପହଞ୍ଚିବା ପରେ ନାଟକ କରି ଟଙ୍କା ଲୁଟ୍ର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ଫାଇନାନ୍ସ କମ୍ପାନୀର କର୍ମଚାରୀ । ଏନେଇ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ ବିଜୟ ନାଗ ନାମକ କର୍ମଚାରୀ ।
ଏହା ମଧ୍ୟ ପଢ଼ନ୍ତୁ....ରେଶମ ସହରରେ ଧରାପଡିଲେ ଚୋର ଗ୍ୟାଙ୍ଗ, ସୁନା ଅଳଙ୍କାର ଫେରିପାଇଲେ ଲୋକେ
ଏନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ହେଲେ ପୂର୍ବରୁ ମଧ୍ୟ ପୁଇନ୍ତଳା ଓ ଦେଓଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଲୁଟ୍ର ଶିକାର ହୋଇଥିବା ନେଇ ସଂପୃକ୍ତ କର୍ମଚାରୀ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପୋଲିସ ଫାଇନାନ୍ସ କର୍ମଚାରୀ ବିଜୟ ନାଗ ଉପରେ ସନ୍ଦେହ କରିଥିଲା । ଏହାସହ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆଗକୁ ବଢ଼ାଇ ଥିଲା ପୋଲିସ । ତେବେ ଘଟଣାର ତଦନ୍ତ ବେଳେ ପଚରାଉଚରା ପରେ ବିଜୟ ନାଗ ଟଙ୍କା ହଡ଼ପ କରିଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଥିଲା । ଏହାପରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ବିଜୟ ନାଗ ଓ ଲୁଟର ନାଟକରେ ବିଜୟକୁ ସହଯୋଗ କରିଥିବା ସହଯୋରୀ ପୀତବାସ ମେର୍ଲିକୁ ଗିରଫ କରିଛି ପୋଲିସ । ଏହାସହ ହଡ଼ପ ୮୪, ୮୫୦ ଟଙ୍କା ମଧ୍ୟରୁ ନଗଦ ୭୦ ହଜାର ଟଙ୍କା ଜବତ କରାଯାଇଛି । ସେମାନଙ୍କଠାରୁ ଦୁଇଟି ବାଇକ୍ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ତୁଫାନ ବାଗ ।
ଇଟିଭି ଭାରତ, ବଲାଙ୍ଗୀର