ବଲାଙ୍ଗୀର: ରେଳ ଧାରଣାରୁ ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ସୁନା ବ୍ୟବସାୟୀ ତ୍ରିପୁରାରି ପାଣିଗ୍ରାହୀଙ୍କ ମୃତଦେହ ଖୁଜେନ ପାଲି ରେଳ ଧାରଣାରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ବ୍ୟବସାୟୀ ଜଣଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ଗ୍ରାମ ନିକଟ ରେଳ ଟ୍ରାକ ନିକଟରେ ତ୍ରିପୁରାରି ପାଣିଗ୍ରାହୀଙ୍କ ମୃତଦେହ ପଡିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଜିଆରପି ପହଞ୍ଚି ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ବ୍ୟବସାୟୀ ଜଣଙ୍କର ମୃତ୍ୟୁ କିପରି ହେଲା ସେନେଇ ପୋଲିସ ତଦନ୍ତ ଜାରି କରିଛି ।
ଏହା ମଧ୍ୟ ପଢନ୍ତୁ-ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବୀଭତ୍ସ ହତ୍ୟା
ତ୍ରିପୁରାରି ପାଣିଗ୍ରାହୀ ଯୁବ ବୟସରୁ ସୁନା ଗହଣା ବ୍ୟବସାୟ ଆରମ୍ଭ କରିଥିଲେ । ରାଧିକା ଜୁଏଲାରୀ ନାମକ ତାଙ୍କର ଏକ ସୁନା ଦୋକାନ ରହିଥିଲା । ସୁନା ବ୍ୟବସାୟ ହୋଟେଲ ବ୍ୟବସାୟ ଜମି ଜମା କାରବାର ଓ ରିୟଲିଷ୍ଟେଟ ବ୍ୟବସାୟ ମଧ୍ୟ ଚଳାଇଥିଲେ । ଅନେକ ଥର ବ୍ୟବସାୟକୁ ନେଇ ବିବାଦକୁ ମଧ୍ୟ ଆସିଥିଲେ । ଯେଉଁଥିରେ ବେଆଇନ୍ ଜମି କାରବାର ନେଇ ତାଙ୍କର ନାମରେ ଅଭିଯୋଗ ଆସିଥିଲା । ସେହିପରି ସେ ବଲାଙ୍ଗୀର ବଣିକ ସଂଘର ସଭାପତି ଭାବରେ ବହୁ ବର୍ଷ ହେବ ଦାୟିତ୍ଵ ତୁଲାଇ ଆସୁଥିବା ବେଳେ ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ ଆସୁଥିଲେ । ବଲାଙ୍ଗୀର ସହରର ସେ ଜଣେ ଜଣାଶୁଣା ବ୍ୟବସାୟୀ । ଆଜି ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ-ମଦ ଦୋକାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ଏହାପରେ ବ୍ୟବସାୟିକ କାରଣ ନଚେତ ଅନ୍ୟ କିଛି କାରଣ ମଧ୍ୟ ରହିଥାଇ ପାରେ । ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାର ସତ ଖୁବଶୀଘ୍ର ସାମ୍ନାକୁ ଆସିବ ।
ଇଟିଭି ଭାରତ, ବଲାଙ୍ଗୀର