ବଲାଙ୍ଗୀର: ବାଗ ଦେର ହତ୍ୟାକାଣ୍ଡ ଘଟଣାରୁ ହଟିଲା ପରଦା । ଯାହାଫଳରେ ବୁଧବାର ବଲାଙ୍ଗୀର ଟିଟିଲାଗଡ ଅନ୍ତର୍ଗତ ବାଗ ଦେର ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟିଟିଲାଗଡ ପୋଲିସ ।
ସୂଚନାମୁତାବକ, ଗତ ଜୁନ୍ ୧୯ ତାରିଖ ସକାଳୁ ବାଗ ଦେର ଗ୍ରାମ ନିକଟସ୍ଥ ଘଣ୍ଟ ବହଲି ରାସ୍ତାରେ ପୋଲିସ୍ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲେ ଯେ ମୃତ ଯୁବକ ଜଣଙ୍କ ରାଜେନ୍ଦ୍ର ଛତର ଏବଂ ତାଙ୍କୁ ଅତି ର୍ନିମମ ଭାବେ ହତ୍ୟା କରାଯାଇଛି ।
ଏହାପରେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲେ । ତେଣୁ ଏହି ଘଟଣାରେ ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଦେଶିଲ୍ ଗ୍ରାମର ଉଜ୍ବଳ ମନି ବାଗକୁ ଅଟକ ରଖି ପଚରାଉଚରା କରିଥିଲେ । ଯେଉଁଥିରେ ଅଭିଯୁକ୍ତ ଉଜ୍ବଳ ବାଗ ନିଜେ ହତ୍ୟା କରିଥିବାର ସ୍ବୀକାର କରିଥିବାବେଳେ ହତ୍ୟାର କାରଣ ମଧ୍ୟ କହିଥିଲା ।
ଘଟଣା ଥିଲା କିଛି ଏପରି......
ରାଜେନ୍ଦ୍ର ଛତରଙ୍କ ସ୍ତ୍ରୀ ତିଳୋତ୍ତମାଙ୍କ ସହିତ ଅଭିଯୁକ୍ତ ଉଜ୍ବଳ ମନି ବାଗର ଅବୈଧ ସମ୍ପର୍କ ଥିଲା । ତେଣୁ ରାଜେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ପାଇଁ ଉଜ୍ବଳ ଏକ ଯୋଜନା କରିଥିଲା ।
ତେବେ ଘଟଣା ଦିନ ନିଜେ ଉଜ୍ବଳ ବାଗ ରାଜେନ୍ଦ୍ରଙ୍କୁ ଘରୁ ଏକ ନିଛାଟିଆ ସ୍ଥାନକୁ ଡକାଇଥିଲେ । ରାଜେନ୍ଦ୍ର ଆସିବା ପରେ ପ୍ରଥମେ ଉଜ୍ବଳ ତାଙ୍କ ବେକରେ ଗାମୁଛା ପକାଇ ତଣ୍ଟି ଚିପି ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ରାଜେନ୍ଦ୍ରଙ୍କ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା ବୋଲି ସେ ପୋଲିସ ଆଗରେ କହିଥିଲେ ।
ତେବେ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗାମୁଛା ସହ ରକ୍ତ ଲଗା ପଥର ଜବତ କରିଛି ପୋଲିସ୍ । ଏଥିସହ ଏହି ଘଟଣାରେ ଅଭିଯୁକ୍ତ ଉଜ୍ବଳକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଅଭିଯୁକ୍ତ ସହ ତାର ଆଉ ଏକ ସହଯୋଗୀ ଥିବା ନେଇ ଅଭିଯୁକ୍ତ କହିଥିବାବେଳେ ତାକୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ