ବଲାଙ୍ଗୀର: ଜିଲ୍ଲାରେ ବିଜେଡି କର୍ମୀଙ୍କ ଦାଦାଗିରି ହେଉଥିବା ଅଭିଯୋଗ ହୋଇଛି । ଶାସକ ଦଳ ବିଜେଡି କର୍ମୀଙ୍କ ଦାଦାଗିରି ଓ ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଶାସକ ଦଳକୁ ଘେରିଛନ୍ତି । ଏ ନେଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ।
ସୂଚନାଅନୁସାରେ, ଖପ୍ରାଖୋଲ ବେନ୍ କେରା ଗ୍ରାମର ଆଦିବାସୀ ଯୁବକ ତଥା ସକ୍ରିୟ କୋଶଳ କର୍ମୀ ରାଜୀବ ରଞ୍ଜନ ବାରିହାଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ପରେ ଆହତ ଯୁବକ ଏବେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ବଲାଙ୍ଗୀର ଆଦିବାସୀ ସଂଘ ଓ କୋଶଳ ସମନ୍ଵୟ ସମିତି ଆନ୍ଦୋଳନ ମଧ୍ୟ କରିବା ଆରମ୍ଭ କରିଛି । ଦୋଷୀ ମାନଙ୍କୁ ଶୀଘ୍ର ଗିରଫ ଦାବି କରିଛି । ଘଟଣାକୁ ଜିଲ୍ଲା କଂଗ୍ରେସ ତୀବ୍ର ନିନ୍ଦା କରିବା ଶହ ବିଜେଡି ଦଳ ଆଦିବାସୀ ମାନଙ୍କ ପ୍ରତି କିଭଳି ଅତ୍ୟାଚାର କରୁଛନ୍ତି ତାହା ଏହା ଏକ ବଳିଷ୍ଠ ଉଦାହରଣ ବୋଲି ଏମାନେ ଅଭିଯୋଗ କରିଛନ୍ତି । ସମାନ ଭାବରେ ଏମାନଙ୍କର ଚାପରେ ପୋଲିସ ମଧ୍ୟ ଚୁପ ବସିଥିବା ଅଭିଯୋଗ କରିଛି କଂଗ୍ରେସ ।
ବଲାଙ୍ଗୀର ବିଜେପି ମଧ୍ୟ ଏହାକୁ ନେଇ ମୁହଁ ଖୋଲି ଥିବା ବେଳେ ଏଥିପାଇଁ ସିଧା ସଳଖ ପାଟଣାଗଡ଼ ବିଧାୟକକୁ ଦାୟୀ କରିଛି । ପୂର୍ବରୁ ମଧ୍ୟ ପାଟଣାଗଡ଼ ବିଧାୟକ ଜଣେ ଆଦିବାସୀ ଅଧିକାରୀଙ୍କୁ ସର୍ବ ସମ୍ମୁଖରେ ଦୁର୍ବ୍ୟବହାର କରି ଜେଲ ଯାଇଥିଲେ । ତେବେ ଏହାସତ୍ତ୍ବେ ମଧ୍ୟ ସେ ସୁଧୁରି ନା ଥିବାର ବିଜେପି ଅଭିଯୋଗ କରିଛି । ତାଙ୍କ ନିର୍ଦ୍ଦେଶରେ ତାଙ୍କର କର୍ମୀମାନେ ଗାଁ ଗଣ୍ଡାରେ ଗୁଣ୍ଡାଗିରି କରୁଥିବାର ବିଜେପି ଅଭିଯୋଗ କରିଛି । ବିଜେଡି ଦଳର ଆଦିବାସୀଙ୍କ ଉପରେ ଏଭଳି ଅତ୍ୟାଚାର ଉପରେ ଲୋକ ଆଗକୁ ଜବାବ ଦେବେ ବୋଲି ବିଜେପି କହିଛି ।
ବଲାଙ୍ଗୀରରୁ ସେଖ୍ ମହମ୍ମଦ ୱାହିଦ,ଇଟିଭି ଭାରତ