ବଲାଙ୍ଗୀର: ବଲାଙ୍ଗୀର ପୋଲିସ ଦ୍ବାରା ସାତ ଜଣ ଡକାୟତ ଗିରଫ । ନିକଟରେ ଏମାନେ ଖପ୍ରାଖୋଲ ଥାନା ଶାନ୍ତିପୁର ଗ୍ରାମରେ ଡକାୟତି କରି ଫେରାର ଥିଲେ ।
ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୂର ଗାଁରେ ଡକାୟତି ଘଟଣାରେ ଧରାପଡିଲେ ଅଭିଯୁକ୍ତ । ଘଟଣାରେ ସଂପୃକ୍ତ ୭ ଡକାୟତକୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ର ରାହୁଲ ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଜିତେନ୍ଦ୍ର ଡାଲମା, ମିଟୁ ସ୍ୱାଇଁ, ଜିତେନ୍ଦ୍ର ନାୟକ ଓ କିଶିଣ୍ଡାର ବିଭୂଷଣ ପଧାନ ଏବଂ ଲୁଇସିଂହାର ସୁନିଲ ସାହୁ ।
ଗତ ଶୁକ୍ରବାର ରାତିରେ ଫିଲ୍ମ ଷ୍ଟାଇଲରେ ରେଢ଼ାଖୋଲରେ ୭ ଜଣ ଡକାୟତକୁ କାବୁ କରି ଖପ୍ରାଖୋଲକୁ ଆଣିଥିଲା ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ଘଟଣାରେ ଆଉ କେଉଁ ମାନଙ୍କର ସଂପୃକ୍ତି ରହିଛି ସେମାନଙ୍କୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଗତ ମାସ ୨୨ ତାରିଖ ରାତିରେ ଖପ୍ରଖୋଲ ଶାନ୍ତିପୂର ଗାଁରେ ଡକାୟତି ହୋଇଥିଲା । ୧୫ ରୁ ୨୦ ଜଣ ଶସସ୍ତ୍ର ଡକାୟତ ଆସି ଗାଁର ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ପଶି ପ୍ରାୟ ୨୦ ଲକ୍ଷ ଟଙ୍କାର ସମ୍ପତି ଲୁଟ କରି ନେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା । ଏଥିସହ ଶୁକ୍ରବାର ରାତିରେ ରେଢ଼ାଖୋଲରେ ୭ ଜଣ ଡକାୟତକୁ ଧରିବାରେ ପୋଲିସ ସଫଳ ହୋଇଛି ।
ତେବେ ବାକି ଡକାୟତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ହେଲେ ଏନେଇ ଖପ୍ରାଖୋଲ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ