ଅନୁଗୋଳ: ବିଳମ୍ବିତ ରାତିରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳଙ୍କ ବାସଭବନରେ ଜଣେ ଯୁବତୀ ବିବାହର ଜିଦ୍ ଧରି ଧାରଣା ଦେଇଥିଲେ । ଉକ୍ତ ଯୁବତୀଙ୍କୁ ପାଲଲହଡ଼ା ପୋଲିସ ଆଣି ଥାନାରେ ଅଟକ ରଖି ପରେ ଛାଡି ଦେଇଥିବା ଘଟଣା ଜିଲ୍ଲାରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଅଞ୍ଚଳର ଜଣେ ଆଇନ ବିଭାଗର ଛାତ୍ରୀ ସନ୍ଧ୍ୟା ସମୟରେ ପାଲଲହଡ଼ା ବିଧାୟକଙ୍କ ବାଲିପଶି ଗ୍ରାମସ୍ଥିତ ବାସ ଭବନରେ ପହଞ୍ଚି ଧାରଣାରେ ବସିଥିଲେ । ତେବେ ସେ ନିଜକୁ ବିଧାୟକଙ୍କ ପ୍ରେମିକା ବୋଲି କହି ବିବାହ କରିବେ ବୋଲି ଜିଦ ଧରିଥିଲେ । ରାତି ପ୍ରାୟ 1ଟା ସମୟରେ ପାଲଲହଡ଼ା ପୋଲିସ ବିଧାୟକଙ୍କ ବାସଭବନରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଥାନାକୁ ଆଣିଥିଲେ । ପରେ ରାତି 2 ଟା ସମୟରେ ସନ୍ଦେହଜନକ ଭାବେ ଉକ୍ତ ଯୁବତୀଙ୍କୁ ଥାନାରୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ତେବେ ଏହା ଏକ ପ୍ରେମଜନିତ ଘଟଣା ବୋଲି ଚର୍ଚ୍ଚା ହେଉଛି ।
ଏ ସମ୍ପର୍କରେ ଉକ୍ତ ଯୁବତୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ସେପଟେ ବିଧାୟକଙ୍କ ପ୍ରତି ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସେ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏ ବାବଦରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅପର ପକ୍ଷରେ ଜଣେ ଯୁବତୀ ରାତି ଅଧିଆ ବିଧାୟକଙ୍କ ଘରେ ବସିବା ଘଟଣାକୁ ନେଇ ପାଲଲହଡ଼ାରେ ରାଜନୀତି ସରଗରମ ହୋଇ ଉଠିଥିବା ଦେଖିବାକୁ ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ