ଅନୁଗୋଳ: ରାଜ୍ୟରେ ଅଚାନକ ପାଗର ପରିବର୍ତ୍ତନରେ ଥରୁଛନ୍ତି ସାରା ରାଜ୍ୟବାସୀ । ଶିଳ୍ପ ନଗରୀ ଅନୁଗୋଳ ମଧ୍ୟ ଥରୁଛି । ଜିଲ୍ଲାରେ ପାରଦ ତଳମୁହାଁ ହୋଇ 7 ଡିଗ୍ରୀରେ ପହଞ୍ଚିଛି । ଫଳରେ ଅନୁଗୋଳରେ ଜାରି ରହିଛି ଶୀତ ଲହରୀ ।
ସୂଚନା ଅନୁଯାୟୀ ଗତ 18 ତାରିଖରେ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ଥିବାବେଳେ 19 ତାରିଖରୁ ତାପମାତ୍ରା ଧିରେ ଧିରେ ହ୍ରାସପାଇ 6.6 ଡିଗ୍ରୀରେ ପହଞ୍ଚିଛି । ଆଜି(ମଙ୍ଗଳବାର) ମଧ୍ୟ ତାପମାତ୍ର 6 ଡିଗ୍ରୀ ତଳେ ରହିଛି । ଫଳରେ ଜାଡରେ ଥରୁଛନ୍ତି ଜିଲ୍ଲାବାସୀ । ସକାଳେ ଟାଣଖରା ଆସିଲେ ଲୋକେ ବାହାରକୁ ବାହାରୁଛନ୍ତି ।
ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ପୁରା ଶୁନଶାନ୍ । ଅପରାହ୍ନ ୪ଟା ପରଠୁ ଶୀତର ପ୍ରକୋପ ଆରମ୍ଭ ହୋଇଯାଉଛି । ଗାଁ ଗହଳିର ଲୋକେ ଦିନସାରା ନିଆଁଜାଳି ବସି ରହୁ ଥିବାବେଳେ ସହରର ଲୋକେ ବିଭିନ୍ନ ବ୍ୟାୟାମ, ଯୋଗ ଇତ୍ୟାଦି କରୁଛନ୍ତି । ତେବେ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ଓ ଦିନ ମଜୁରିଆ । ଶୀତ କାରଣରୁ ସବୁଦିନ କାମ ମିଳିବା ଅସମ୍ଭବ ହେଉଛି ଫଳରେ ଏମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ