ଅନୁଗୋଳ: ସାରାରାଜ୍ୟ ନିଆଁ ବର୍ଷାରେ ଝୁଲ । ଜଳୁଛି ଶିଳ୍ପ ନଗରୀ । ସକାଳ ୮ ଟାରୁ ଆରମ୍ଭ ହୋଇ ଯାଉଛି ଖରାର ପ୍ରକୋପ । ଝାଞ୍ଜି ପବନ ସାଙ୍ଗକୁ ଗୁଳିଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ଟାଣ ଖରା ଯୋଗୁଁ ଦୋକାନ ବଜାର ବନ୍ଦ ରହୁଛି । ରାସ୍ତାଘାଟ ଶୁନଶାନ ହୋଇ ପଡ଼ୁଛି । ପ୍ରତି ବର୍ଷ ଖରାଦିନେ ଜିଲ୍ଲାର ତାପମାତ୍ରା ପାଖାପାଖି ୫୦ ଡ଼ିଗ୍ରୀକୁ ଛୁଏଁ । ଚଳିତ ବର୍ଷ ମଧ୍ୟ ସେଭଳି ପ୍ରଭାବ ଦେଖିବାକୁ ମିଳିଛି ।
ଗତ ୨୫ ତାରିଖ ଠାରୁ ଏଠାରେ ତାପମାତ୍ରା ୪୪ ଡ଼ିଗ୍ରୀ ଛୁଇଁ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀରୁ ଅଧିକ ରହୁଛି । ଫଳରେ ପରିସ୍ଥିତି ଜଟିଳ ହେବା ସହ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି । ଜିଲ୍ଲାରେ ଅନୁଭୂତ ହେଉଥିବା ଅହେତୁକ ତାପମାତ୍ରା ବୃଦ୍ଧି ଏବେ ସବୁ ଲୋକଙ୍କ ଦୁଃଖ, କଷ୍ଟ ବଢାଇ ଦେଇଛି । ସକାଳ ହେଲେ ଲୋକେ ଭୟରେ ବାହାରକୁ ବାହାରୁ ନାହାଁନ୍ତି ।
ଘର ବାହାରେ ଯେପରି ଘର ଭିତରେ ମଧ୍ୟ ସେତିକି ଗରମ । ତତଲା ପବନ ସାଙ୍ଗକୁ ଗୁଳୁଗୁଳି ଦୁର୍ଦ୍ଦଶାକୁ ଦ୍ଵିଗୁଣିତ କରିଛି । ଖରାଦିନ ଆସିଲେ ଘନଘନ ବିଦ୍ୟୁତ କାଟ ମଧ୍ୟ ହେଉଛି ଯାହାକି ଲୋକଙ୍କ କଷ୍ଟ ଆହୁରି ବଢାଇ ଦେଉଛି । ସକାଳ ୯ ଟା ପରେ ରାସ୍ତାରେ ଖେଳୁଛି ମରୀଚିକା । ଗରମରୁ ସାମାନ୍ୟ ଆଶ୍ଵସ୍ତି ପାଇଁ କେହି କେହି ଥଣ୍ଡା ପାନୀୟ ଓ ଲସି ପିଉଥିବା ଦେଖିବାକୁ ମିଳୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ