ଅନୁଗୋଳ: ପ୍ରକଳ୍ପ ଅଛି । ନଳକୂପ ବି ଅଛି । ହେଲେ ଲୋକ ବର୍ଷା ଦିନେ ମଧ୍ୟ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଯାହା ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ଉଠାଇଛି ପ୍ରଶ୍ନ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳର ବଅଁରପାଳ ବ୍ଳକ ଅଞ୍ଚଳରେ ।
ରାତି ପାହିଲେ ମହିଳା 2 ରୁ 3 କିଲୋମିଟର ବାଟ ଗରା ମାଠିଆ ଧରି ଯାଉଛନ୍ତି ପାଣି ଆଣିବାକୁ । କାରଣ ଗାଁରେ ଥିବା ନଳକୂଅ ଅଚଳ । ପାନୀୟ ଜଳ ପ୍ରକଳ୍ପର ପମ୍ପ ପୋଡି ଯାଇଥିବାରୁ ଜଳ ଯୋଗାଣ ହୋଇପାରୁ ନାହିଁ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିଲାନି ।
ଗ୍ରାମରେ ବାସ କରନ୍ତି ଦୁଇ ହଜାରରୁ ଅଧିକ ପରିବାର । ଆଉ ଏଠାକାର ଲୋକଙ୍କର ମୁଖ୍ୟ ସମସ୍ୟା ହେଲା ପିଇବା ପାଣି । ଗାଁରେ ଭୂତଳ ଜଳସ୍ତର କମ୍ । ତେଣୁ କୂଅରେ ପାଣି ରହେ ନାହିଁ । ବର୍ଷା ଦିନେ ମଧ୍ୟ କୂଅରେ 25ରୁ 30 ଫୁଟ ତଳେ ରହୁଛି ପାଣି । ଯାହା ପିଇବା ଉପଯୋଗୀ ନୁହେଁ । ଗାଁରେ ସର୍ବମୋଟ 4ଟି ନଳକୂଅ ରହିଛି । ମାତ୍ର ତା ମଧ୍ୟରୁ ଦୁଇଟି ସମ୍ପୂର୍ଣ୍ଣ ଅଚଳ । ଆଉ ଦୁଇଟି ଠିକ୍ ଥିଲେ ବି ପାଣି ବାହାରୁ ନାହିଁ ।
ଗ୍ରାମବାସୀଙ୍କ ବହୁ ଦାବି ଆନ୍ଦୋଳନ ପରେ ଗତ 5 ବର୍ଷ ପୂର୍ବେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଫଳରେ ଲୋକଙ୍କ ପାଣି ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିଛି । ହେଲେ ଥରେ ପମ୍ପ ଖରାପ ହେଲେ ମାସ ମାସ ବିତି ଯାଉଛି ପଛେ ଠିକ୍ କରାଯାଉ ନାହିଁ । ଗତ 2ରୁ 3 ମାସ ପୁର୍ବେ ପାଣି ପମ୍ପଟି ପୋଡି ଯାଇଛି । ତେଣୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ହୋଇ ରହିଛି ।
ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି, ଜଳ ଯୋଗାଣ ପ୍ରକଳ୍ପର ପମ୍ପ ଠିକ୍ କରିବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ କୁହାଯାଇଛି । ସେ ଖୁବ୍ ଶୀଘ୍ର ଏହାକୁ ଠିକ୍ କରିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ