ଅନୁଗୋଳ: ଅନୁଗୋଳ ଜିଲ୍ଲାର ସବୁ ଜଙ୍ଗଲରେ ନିଆଁ ଲାଗି ଧ୍ବଂସ ହୋଇ ଯାଇଛି। ପ୍ରବଳ ଖରା ଯୋଗୁ ଜଙ୍ଗଲ ଭିତରେ ଥିବା ନାଳ ଓ ଜଳାଶୟ ଶୁଖି ଗଲାଣି। ଜଙ୍ଗଲରେ ଜୀବଜନ୍ତୁ ଓ ଚଢେଇ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏହା ଦେଖି ତାଳଚେର ଅଞ୍ଚଳ ନୂଆ ବାଲୁଗାଁର ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି ସେମାନଙ୍କୁ ପିଇବା ପାଣି ଯୋଗାଇ ଦେବାକୁ। ପ୍ରବଳ ଖରାରେ ମାଟି କଳସ, ଠେକି ଓ କୁଡୁଆରେ ପାଣି ଭର୍ତ୍ତି କରି ଜଙ୍ଗଲ ଭିତରେ ବୁଲି ବୁଲି ବିଭିନ୍ନ ଗଛରେ ଝୁଲାଇ ଦେଉଛନ୍ତି। ଦୀର୍ଘ ୫ବର୍ଷ ହେଲା ସେମାନେ ଏଭଳି କରି ଆସୁଛନ୍ତି।
ପ୍ରତିବର୍ଷ ଫେବୃଆରୀ ମାସରୁ ହିଁ ବହୁ ଜଙ୍ଗଲରେ ଥିବା ଜଳାଶୟ ଶୁଖିଯାଏ। ପାଣି ନ ପାଇ ମୃତ୍ୟୁବରଣ କରନ୍ତି ଜୀବଜନ୍ତୁ, ସରୀସୃପ, କୀଟପତଙ୍ଗ । ଏଭଳି ପରିସ୍ଥିତିରେ ଶୋଷିଲା ବଣ୍ୟଜନ୍ତୁ ଓ ଚଢେଇ ମାନଙ୍କୁ କିଭଳି ପାଣି ଦେଇ ସେମାନଙ୍କ ତୃଷା ମେଣ୍ଟାଇ ପାରିବେ ସେଥିପାଇଁ ଆଗେଇ ଆସିଛନ୍ତି ମହିଳାମାନେ । ଅନୁଗୋଳ ଜିଲ୍ଲା ନୂଆ ବାଲୁଗାଁର ମହିଳା ମାନେ ଢୁ ଢୁ ଖରାକୁ ଖାତିର ନକରି ଶୋଷିଲା ବଣ୍ୟଜନ୍ତୁ ଓ ଚଢେଇ ମାନଙ୍କୁ କିଭଳି ପାଣି ଦେଇ ସେମାନଙ୍କ ତୃଷା ମେଣ୍ଟାଇ ପାରିବେ ସେଥିପାଇଁ କାମ କରୁଛନ୍ତି।
ହାତରେ ପାଣି ଭର୍ତ୍ତି କଳସ, ଠେକି ଓ କୁଡୁଆ ଧରି ଜଙ୍ଗଲ ଭିତରେ ବୁଲି ବୁଲି ଗଛରେ ଝୁଲାଉଛନ୍ତି । ଯାହା ଫଳରେ ମେଣ୍ଟୁଛି ତୁଷାର୍ଥ ଜନ୍ତୁଙ୍କ ଶୋଷ । ସେମାନେ ଦୀର୍ଘ ୫ବର୍ଷ ହେଲା ବିଭିନ୍ନ ଜଙ୍ଗଲରେ ଏଭଳି କରି ଆସୁଛନ୍ତି। ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ଏହି ମହିଳାମାନେ ଜଙ୍ଗଲ ଜଙ୍ଗଲ ଯାଇ ଏଭଳି କରି ଆସୁଛନ୍ତି।
ଫଳରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ଚଢେଇଙ୍କ ଜୀବନ ବଞ୍ଚି ଯାଉଛି। ସବୁଠାରୁ ବଡ଼ କଥା ହେଉଛି ଏହି କାମ ପାଇଁ ଯାହା କିଛି ଖର୍ଚ୍ଚ ହେଉଛି ସେମାନେ ନିଜେ ହିଁ ଖର୍ଚ୍ଚ କରୁଛନ୍ତି। ଖରାଦିନ ପୂର୍ବରୁ ସେହି ମହିଳାମାନେ ବିଭିନ୍ନ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବୁଲି ଫିଙ୍ଗି ଦିଆଯାଇଥିବା ମାଟି କଳସ ଓ କୁଡୁଆ ସଂଗ୍ରହ କରି ଆଣନ୍ତି।
ସେଗୁଡିକୁ ଖରାଦିନେ ଏମିତି ଭାବରେ ବ୍ୟବହାର କରନ୍ତି। ସେମାନଙ୍କୁ ଯଦିଓ ବହୁ ପରିଶ୍ରମ କରିବାକୁ ପଡୁଛି । କିନ୍ତୁ ସେଥିରେ ମିଳୁଛି ଆନନ୍ଦ। ମହିଳା ମାନଙ୍କ କହିବା କଥା ଏ ଧରାପୃଷ୍ଠରେ ସବୁ ଜୀବଜନ୍ତୁଙ୍କ ବଞ୍ଚିବାର ଅଧିକାର ଅଛି। ପଶୁପକ୍ଷୀ ମାନେ ମଣିଷ ପରି କିଛି କହି ପାରନ୍ତିନାହିଁ। ହେଲେ ସେମାନଙ୍କର ଆବଶ୍ୟକତାକୁ ମଣିଷ ବୁଝିବା ଆବଶ୍ୟକ। ନୂଆବାଲୁଗାଁର ଏହି ମହିଳାମାନେ ଯେଉଁଭଳି ଭାବେ ପଶୁପକ୍ଷୀଙ୍କ ଜୀବନ ରକ୍ଷକ ସାଜିଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ