ଅନୁଗୋଳ: ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର । ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର 5 କିଲୋମିଟର ଦୂର ରନ୍ତଲେଇ ଗାଁରେ ରହିଥିବା ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର 5 ବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଥରେ ହେଲେ ବି ଖୋଲା ହୋଇନାହିଁ । ଫଳରେ ଶହ ଶହ ଗୋରୁ ଗାଈ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି ।
ସୂଚନା ଅନୁଯାୟୀ, ରନ୍ତଲେଇ ଗ୍ରାମବାସୀ ଗୋପାଳନ ଉପରେ ନିର୍ଭର କରୁଥିବା ବେଳେ 2014-15 ମସିହାରେ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ନିର୍ମାଣ ହୋଇଥିଲା । ଯାହାକୁ ନେଇ ଗ୍ରାମବାସୀ ବେଶ୍ ଖୁସି ହୋଇଥିଲେ । ମାତ୍ର 5 ବର୍ଷ ହେବ ନିର୍ମାଣ ହୋଇଥିବା ଏହି କେନ୍ଦ୍ର ଦିନଟିଏ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । କିନ୍ତୁ କୋଠାଟି ଭାଙ୍ଗି ରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବେଳେ କେନ୍ଦ୍ରଟି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥିବା ରନ୍ତଲେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏପଟେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଈଗୋରୁଙ୍କ ପାଇଁ ତିଆରି କରିଥିବା ଏହି କେନ୍ଦ୍ରରେ ଡାକ୍ତରଙ୍କ ଦେଖାନାହିଁ । ଫଳରେ ଗାଈଗୋରୁଙ୍କୁ ସଧାରଣ ରୋଗ ହେଲେ ଲୋକେ ବେସରକାରୀ ଡାକ୍ତର ଡାକି ଚିକିତ୍ସା କରୁଛନ୍ତି । ତେବେ ଏନେଇ ଆମ ପ୍ରତିନିଧି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । ମାତ୍ର ସେ ଗଣମାଧ୍ୟମକୁ କିଛି କହିବାକୁ ରୋକଠୋକ ମନା କରିଥିଲେ ।
ତେବେ ଖାଲି ରନ୍ତଲେଇ ନୁହେଁ ଜିଲ୍ଲାରେ ଏହିପରି ଆହୁରି ୫ଟି ଚିକିତ୍ସା କେନ୍ଦ୍ରର ସମାନ ସ୍ଥିତି । ସରକାରଙ୍କ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ ହେଉଥିଲେ ମଧ୍ୟ ତାହା କାମରେ ନଆସିବା ସାଧାରଣରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ