ଅନୁଗୋଳ: ଧର୍ମେନ୍ଦ୍ରଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତକୁ ନେଇ ଆରମ୍ଭ ହୋଇଛି ବିଜେଡି ବିଜେପି ମଧ୍ୟରେ ବାକଯୁଦ୍ଧ। ଅନୁଗୋଳ ଢେଙ୍କାନାଳ ଜିଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନ ଘନ କାର୍ଯ୍ୟକ୍ରମକୁ ନେଇ ଆଜି ଭୁବନେଶ୍ବରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ଜାହାର ଜବାବ ରଖିଛନ୍ତି ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି । ମହେଶଙ୍କୁ ଟାର୍ଗେଟ କରି ରୁଦ୍ର କହିଛନ୍ତି ଅସହିଷ୍ଣୁତାର ଶେଷ ପାହାଚରେ ମହେଶ ସାହୁ । ପାର୍ଟି ଛାଡି ମାଟି କଥା ଚିନ୍ତା କରନ୍ତୁ ମହେଶ ସାହୁ।
ରୁଦ୍ର କହିଛନ୍ତି ଅନେକ ଦିନପରେ ମହେଶ ସାହଙ୍କୁ ମନେ ପକେଇଛି ଶଙ୍ଖ ଭବନ। ସେଥିପାଇଁ ଅନୁଗୋଳ ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ହୋଇଥିବା ବିକାଶକୁ ଦେଖି ବି ଜାଣି ଅଜଣା ଭଳି ହେଉଛନ୍ତି ସାଂସଦ। ସାରା ଓଡିଶା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିକାଶ ପୁରୁଷ, ପ୍ରଗତିର ସାରଥୀ, ଉଜ୍ଜଳା ମ୍ୟାନ କହୁଥିଲା ବେଳେ ସାଂସଦ ମହେଶ ସାହୁ ଶଙ୍ଖ ଭବନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଏଭଳି ଟିପ୍ପଣୀ ଦେବା ହାସ୍ୟାସ୍ପଦ। ୨୦୧୯ ମସିହାରେ ବିଧାନସଭା ଭୋଟ ତୁଳନାରେ ଲୋକସଭା ଭୋଟରେ ମହେଶ କାହିଁକି ପଛରେ ରହିଲେ, ଏ ଜବାବ ତାଙ୍କ ପାଖରେ ଅଛି କି ବୋଲି ରୁଦ୍ର ପ୍ରଶ୍ନ କରିଛନ୍ତି। ଯଦି ମହେଶ ସାହୁଙ୍କର ସତସାହସ ଅଛି, ତାହାଲେ ବିକାଶ ହୋଇନଥିବା କଥା ନିଜ ଅଞ୍ଚଳରେ କୁହନ୍ତୁ ଲୋକେ ଏହାର ଜବାବ ଦେବେ। କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ବରେ ଯେତେ ବିକାଶର କାମ ହୋଇଛି, ତାକୁ ବର୍ଣ୍ଣନା କରିହେବ ନାହିଁ ।।
ସୂଚନାଯୋଗ୍ୟଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୋଳ ଢେଙ୍କାନାଳ ଗସ୍ତକୁ ନେଇ ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁ ଭୁବନେଶ୍ବର ସ୍ଥିତ ଶଙ୍ଖ ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କୁ ଟାର୍ଗେଟ କରିଥିଲେ । ମହେଶ କହିଥିଲେ ଢେଙ୍କାନାଳ ଓ ଅନୁଗୋଳ ତାଙ୍କର ଜନ୍ମମାଟି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁହନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ଭାବେ ଜନ୍ମମାଟି ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ପ୍ରତିବଦ୍ଧତା ଓ ଆନ୍ତରିକତା ଅଧିକ ବିହାର ଓ ମଧ୍ୟପ୍ରଦେଶ ପାଇଁ ରହୁଛି, ହେଲେ ନିର୍ବାଚନ ଆସିଲେ ଢେଙ୍କାନାଳ ଓ ଅନୁଗୋଳ କଥା ତାଙ୍କର ମନେପଡୁଛି ବୋଲି କହିଥିଲେ ମହେଶ। ବାହାଘର ଦିନ ବାଇଗଣ ରୁଆ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରି ଏକ କୋକୁଆ ଭୟ ସୃଷ୍ଟି କରୁଛନ୍ତି । ସାଧାରଣ ଭାବେ ଲୋକଙ୍କ ପ୍ରିୟପାତ୍ର ନଥିବା, ପାଦତଳେ ମାଟି ନଥିବା କେନ୍ଦ୍ରମନ୍ତ୍ରୀ ନିଜର ଜନ୍ମମାଟି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଦୀର୍ଘ ୯ ବର୍ଷର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ବ କାଳରେ ଗୋଟିଏ କାର୍ଯ୍ୟକ୍ରମ କରିନାହାନ୍ତି । ଯାହାର ସ୍ପଷ୍ଟ ପ୍ରମାଣ ରହିଛି । ଜନ୍ମଭୂମିରେ କିଛି ବି ବିକାଶ କାମ କରି ନାହାନ୍ତି ଧର୍ମେନ୍ଦ୍ର । ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ସମଗ୍ର ଭାରତବର୍ଷକୁ ରାଜସ୍ବ କ୍ଷେତ୍ରରେ ସର୍ବାଧିକ ରାଜସ୍ବ ଦେଇଥାଏ । କିନ୍ତୁ ତାହାର ପ୍ରତିଦାନ ସ୍ବରୂପ ସେ ଅଞ୍ଚଳର ଜମିହରା ପ୍ରଜା, ସାଧାରଣ ଜନତାଙ୍କ ସମସ୍ୟା ଉପରେ ଆଖିବୁଜି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ଅଭିଯୋଗ କରିଥିଲେ ।
ଇଟିଭି ଭାରତ, ଅନୁଗୋଳ