ଅନୁଗୋଳ: ଲୋକଙ୍କୁ ସଚେତନ କରିବ ବାର୍ତ୍ତା ଗାଡି । ରାଜ୍ୟ ସରକାରଙ୍କର 50ରୁ ଉର୍ଦ୍ଧ୍ବ ଲୋକହିତକର ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ନେଇ ଅନୁଗୋଳ ଜିଲ୍ଲାର 'ବାର୍ତ୍ତା' ଗାଡିର ଶୁଭାରମ୍ଭ ହୋଇଛି ।
ରାଜ୍ୟ ସରକାରଙ୍କ ୫୦ରୁ ଉର୍ଦ୍ଧ୍ବ ଲୋକହିତକର ଯୋଜନା ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଜିଲ୍ଲାର ୨୨୫ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କୁ ବିସ୍ତୃତ ଭାବେ ମନଛୁଆଁ ଭିଡିଓ ମାଧ୍ୟମରେ ଅବଗତ ଓ ସଚେତନ କରିବ ବାର୍ତ୍ତା । ମହାଶିବରାତ୍ରୀ ଅବସରରେ ସଚେତନ ନାଗରିକ, ଉନ୍ନତ ଅନୁଗୋଳର- ଆଭିମୁଖ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅନନ୍ୟ ପ୍ରୟାସ ''ବାର୍ତ୍ତା''ର ଶୁଭାରମ୍ଭ ହୋଇଛି ।
ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଦୁଇ ଭିଡିଓ ପ୍ରଦର୍ଶନକରି ସୁସଜ୍ଜିତ ଯାନ ଗୋଟିଏ ଦିନରେ ୩ଟି ଗ୍ରାମପଞ୍ଚାୟତ ପରିଭ୍ରମଣ କରିଛି । ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାର୍ତ୍ତା ମୁଖ୍ୟତଃ ସନ୍ଧ୍ୟା ସମୟରେ ପ୍ରଦର୍ଶିତ ହେବ ।
ବାର୍ତ୍ତାର ପ୍ରକୃତ ସୁଫଳ ଯେମିତି ଲୋକମାନଙ୍କ ନିକଟରେ ପହଞ୍ଚିବ ସେ ନେଇ ଆବଶ୍ୟକ ପ୍ରାକ୍ ପ୍ରସ୍ତୁତି କରିବାପାଇଁ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୨୦ ଯାଏଁ ଚାଲିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ