ଅନୁଗୋଳ: କୋରୋନା ପାଇଁ ବର୍ଷବର୍ଷର ପରମ୍ପରା ଓ ସଂସ୍କୃତି ଉପରେ ଲାଗିଲା ରୋକ । ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଉପରେ କଟକଣା ଲଗାଇଛି ପ୍ରଶାସନ । ପ୍ରଶାସନ ଅନୁରୋଧରେ ପୀଠକୁ ଆସି ନାହାନ୍ତି ଭକ୍ତ । କେବଳ ନୀତିକାନ୍ତିରେ ମାଙ୍କୁ ପୂଜାର୍ଚ୍ଚନା କରାଯାଇଛି ।
ଆଜି(ମଙ୍ଗଳବାର) ହେଉଛି ଵିଷ୍ଣୁ ଦମନ କ ଚତୁର୍ଦ୍ଦଶୀ । ଶ୍ରୀକ୍ଷେତ୍ର ରୋଷ ଘରର ଠାକୁରାଣୀ ଅଗ୍ନିରୂପା ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସଵ । ଏଥିପାଇଁ ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳ ଗଡ ଉତ୍ସବମୁଖରିତ ହେବା କଥା। କାହିଁ କେତେ ଆଡୁ କେତେ ଭକ୍ତ ମାଙ୍କ ପୀଠ ଓ ଉଭାସ୍ଥଳୀ ପୂଜାର୍ଚ୍ଚନା କରି ମା'ଙ୍କ ସାନିଧ୍ୟ ପାଇଥାନ୍ତି ।
ହେଲେ କୋରୋନା ପାଇଁ ଏହି ପୂଜା ଉତ୍ସବ ଉପରେ କଟକଣା ଲଗାଯାଇଛି । ଏଠାରେ ଭକ୍ତଙ୍କ ସମାଗମ ନହେବାକୁ ପୂର୍ବରୁ ପ୍ରଶାସନ ନିବେଦନ କରିଥିଲା । ଯାହାକୁ ନଜରେ ରଖି କେହି ବି ଭକ୍ତ ଆଜି ମା'ଙ୍କ ପୀଠକୁ ଆସିନାହାନ୍ତି । କେବଳ ବିଧି ଅନୁସାରେ ସମସ୍ତ ପୂଜାନୀତି କରାଯିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପ୍ରଶାସନ ନିଷ୍ପତ୍ତି ନେଇଛି ।
ସେଇ ଆଧାରରେ କେବଳ ପତିଆ ଓ ଦେହୁରୀ କମିଟିର ଅଳ୍ପ କିଛି ସଦସ୍ୟଙ୍କୁ ନେଇ ପୂଜାର୍ଚ୍ଚନା କରାଯିବ । କାଳେ କୌଣସି ଭକ୍ତ ଆସି ଯିବେ ସେଥିପାଇଁ ପୋଲସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୀତି ଅନୁସାରେ, ସକାଳ ପୂଜା ପରେ ଅପରାହ୍ନରେ ଦିଅଁ ଘରୁ ଆଲାମ ଅଣାଯାଇ ପତିଆର ପୂଜା କରାଯିବ । ସଂନ୍ଧ୍ୟାରେ ଉଭାସ୍ଥଳରେ କାଲିସି ପୂଜା କରାଯିବ । ଏଠାରେ ସାବରୀ ମନ୍ତ୍ରରେ ମାଙ୍କୁ ପୂଜା କରାଯାଏ। ମା'ଙ୍କ ଏହି ବାର୍ଷିକ ପୂଜା ହେବା ଦିନଠାରୁ ପ୍ରଥମକରି ଏଭଳି ଭକ୍ତଙ୍କୁ ପୂଜାକୁ ନଆସିବାକୁ ବାରଣ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ