ଅନୁଗୋଳ: କୋଇଲା ଖଣିରେ ଶ୍ରମିକ ସଙ୍ଗଠନର ଧର୍ମଘଟ । ଅନୁଗୋଳ ଜିଲ୍ଲା ତାଳଚେରରେ ଥିବା ସମସ୍ତ କୋଇଲା ଖଣିରେ ଭାରତୀୟ ଶ୍ରମିକ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି । ଫରେନ ଡ଼ାଇରେକ୍ଟର ଇନଭେଷ୍ଟମେଣ୍ଟ (ଏଫଡିଆଇ) ଓ ରାଷ୍ଟ୍ରାୟତ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବିରୋଧରେ ପାଞ୍ଚ ଦିନିଆ ଧର୍ମଘଟ କରୁଛନ୍ତି ଶ୍ରମିକ ସଂଘ ।
କେନ୍ଦ୍ର ସରକାର ନିକଟରେ ସରକାରୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଓ କୋଇଲା ଏଫଡିଆଇ ବ୍ୟବସ୍ଥା ଲାଗୁ କରି ବେସରକାରୀ କମ୍ପାନୀ ଗୁଡିକୁ ହାତକୁ ଟେକି ଦେବାକୁ ଯେଉଁ ଯୋଜନା କରିଛନ୍ତି ତାହାର ପ୍ରତିବାଦରେ ଭାରତୀୟ ଶ୍ରମିକ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହା ଯୋଗୁଁ ମହାନଦୀ କୋଇଲା କମ୍ପାନୀ ଦ୍ବାରା ପରିଚାଳିତ ତାଳଚେରର 8ଟି କୋଇଲା ଖଣି ଅଞ୍ଚଳରେ ବିଏମଏସ ସହ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ କରାଯାଉଛି।
ଯଦି କୋଇଲା ଖଣିରୁ ପୁଞ୍ଜି ପ୍ରତ୍ୟାହାର କରାଯାଏ ତେବେ ଖଣିରେ କାମ କରୁଥିବା ଶ୍ରମିକ ନିଜର ଜୀବିକା ହରାଇବେ । ଏହସହ ଶ୍ରମିକଙ୍କ ରୋଜଗାର ବନ୍ଦ ହୋଇଯିବ। ଏଭଳି ଆଶଙ୍କା କରି ସୋମବାର ଏହି ଧର୍ମଘଟକୁ ଓହ୍ଲାଇଛନ୍ତି ଶ୍ରମିକ ସଙ୍ଗଠନ । ଯଦି ଏଥିରେ ବିଦେଶୀ ପୁଞ୍ଜି ଲଗାଣ ହୁଏ ସାଧାରଣ ଠିକା ଶ୍ରମିକଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ସଙ୍ଗଠନ ଅଭିଯାଗ କରିଛି । ସବୁ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ହରତାଳ କରିବା ସହ ପ୍ରତିବାଦ କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ