ଅନୁଗୋଳ: ମା’ ହିଙ୍ଗୁଳା ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ । ମା’ ଙ୍କ ପୀଠ ଯେତିକି ପ୍ରାଚୀନ ସେତିକି ବୈଚିତ୍ୟମୟ । ଏପରିକି କିମ୍ବଦନ୍ତୀ କହେ ଶ୍ରୀକ୍ଷେତ୍ର ଧାମ ସହ ମା’ ଙ୍କ ପୀଠର ରହିଛି ନିବିଡ ସମ୍ପର୍କ । କାରଣ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ସେଥିପାଇଁ ତ ଅଗ୍ନି ରୂପରେ ମା’ ହିଙ୍ଗୁଳା ଜଗନ୍ନାଥଙ୍କ ପୀଠରେ ବିରାଜମାନ କରିଛନ୍ତି ।
ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ ଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଏ । ସେହିଦିନ ମା ଅଗ୍ନୀ ରୁପରେ ପ୍ରକଟ ହୋଇ ୯ ଦିନ ଧରି ପୂଜା ପାଆନ୍ତି । ଏହାକୁ ମା’ ଙ୍କର ନବ ଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଏହି ଯାତ୍ରା ସମୟରେ ମା’ ଲକ୍ଷାଧିକ ଭକ୍ତଙ୍କୁ ଅଗ୍ନୀ ରୂପରେ ଦର୍ଶନ ଦେବାପାଇଁ ଶ୍ରୀକ୍ଷତ୍ର ଛାଡି ଗୋପାଳ ଗଡ ଚାଲି ଆସନ୍ତି ବୋଲି ଲୋକ କଥା ପ୍ରଚଳିତ ରହିଛି । ଆଶ୍ବିନ ଆସିଲେ ଶାରଦୀୟ ଦୁର୍ଗା ପୂଜାରେ ମା’ ଙ୍କ ପୀଠ ହୋଇଉଠେ ଲୋକାରଣ୍ୟ । ଷୋଡ଼ଶ ଉପଚାରରେ ମା’ ଙ୍କର ନବରାତ୍ର ପୂଜା କରାଯାଏ । ଏହି ପୀଠରେ ଦେହୁରୀ ସେବକ ମାନେ ମା’ ଙ୍କର ପୂଜାର୍ଚ୍ଚନା କରନ୍ତି ।
ମା’ ଧାରଣ କରୁଥିବା ସମସ୍ତ ଆୟୂଧ, ଖଡ଼ଗ, ଚକ୍ର, ତ୍ରିଶୂଳ ଆଦି ନବରାତ୍ରରେ ପୂଜିତ ହୁଏ । ନଅଦିନ ଧରି ସହସ୍ରlର୍ଚ୍ଚନା, ଚଣ୍ଡୀ ପାଠ, ଯଜ୍ଞ , ମନ୍ତ୍ର, ଶ୍ଲୋକ ସହ ମା’ ଙ୍କର ସ୍ବତନ୍ତ୍ର ପୂଜା କରାଯାଇଥାଏ । ଏହି ସମୟରେ ଲକ୍ଷାଧିକ ଭକ୍ତ ପୂଜାରେ ନିଜକୁ ସାମିଲ କରି ଅଭୀଷ୍ଟ ପୂରଣ ପାଇଁ ମା’ ଙ୍କ ଶରଣାପର୍ଣ୍ଣ ହୋଇଥାନ୍ତି ।
ମା’ ଶ୍ରୀକ୍ଷେତ୍ରରେ ବିରାଜମାନ ପଛରେ ଏକ ଅଲୌକିକ କିମ୍ବଦନ୍ତୀ ରହିଛି । ନଳ ରାଜା ମା’ ହିଙ୍ଗୁଳାଙ୍କର ପରମ ଭକ୍ତ ଥିଲେ । ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସ୍ବାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ସର୍ବଦା ଚିନ୍ତିତ ରହୁଥିଲେ। ସ୍ବପ୍ନାଦେଶ ପାଇ ସେ ମା ହିଙ୍ଗୁଳାଙ୍କ ଶରଣାପନ୍ନ ହେଲେ । ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ । ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ବାଦିଷ୍ଟ ହେଲା ।
ଏହି ପୀଠରେ ଭକ୍ତଙ୍କ ଠାରୁ ମା’ ନୈବେଦ୍ୟ ଗ୍ରହଣ କରିଥାନ୍ତି । ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ପଡି ନଥାଏ । ମା’ ହିଙ୍ଗୁଳାଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଲୋକ ଲୋଚନରୁ ଶୁଣିବାକୁ ମିଳେ । ବର୍ଷ ତମାମ ପୀଠରେ ମାନସିକ ରଖି ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି । ମା’ ପ୍ରତ୍ୟେକ୍ଷ ଠାକୁରାଣୀ ଡାକିଲେ ଓ କରନ୍ତି ବୋଲି ଭକ୍ତମାନେ କୁହନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ