ଅନୁଗୋଳ: ଗୋଟିଏ କକ୍ଷରେ ଚାଲିଛି ପାଞ୍ଚୋଟି ଶ୍ରେଣୀର ପାଠପଢା । ପ୍ରଥମରୁ ପଞ୍ଚମଶ୍ରେଣୀର ପ୍ରାୟ 35 ଛାତ୍ରଛାତ୍ରୀଙ୍କୁ ଏକାଠି ପାଠ ପଢାଉଛନ୍ତି ଦୁଇ ଶିକ୍ଷୟତ୍ରୀ । କେବେକେବେ ବାରଣ୍ଡାରେ ବି ବସି ପାଠ ପଢିଥାନ୍ତି ପିଲା । ଶିକ୍ଷା ବ୍ୟବସ୍ଥାର ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ବଅଁରପାଳ ବ୍ଲକ ଗୁରୁଧିବାସିଆ ଗାଁର ପ୍ରାଥମିକ ବିଦ୍ୟାଳୟରେ ।
1956ରେ ନିର୍ମାଣ ହୋଇଥିବା ଏହି ସ୍କୁଲର ଅବସ୍ଥା ଏବେ ବିପଦସଙ୍କୁଳ । ତେଣୁ ପିଲାମାନେ ସେଠାରେ ବସି ପାଠନପଢିବାରୁ ଗତ ଦୁଇବର୍ଷ ପୂର୍ବେ ଶିକ୍ଷା ବିଭାଗ ନିର୍ମାଣ କରିଥିଲା ଗୋଟିଏ ଅତିରିକ୍ତ ଶ୍ରେଣୀ ଗୃହ । ଯେଉଁଠି ଏବେ ସ୍କୁଲର ସମସ୍ତ ଆସବାବପତ୍ର, ମଧ୍ୟାହ୍ନ ଭୋଜନ ସାମଗ୍ରୀ ସମେତ ପିଲା ବି ପଢୁଛନ୍ତି ପାଠ । ଯାହାଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିବା ସହ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ସେମାନଙ୍କ କଥା ଶୁଣେ କିଏ ।
ଅନ୍ୟ ପକ୍ଷରେ ଆର୍ଥିକ ମଞ୍ଜୁରୀ ମିଳିଲେ ନିଶ୍ଚିତ ଶ୍ରେଣୀଗୃହ ନିର୍ମାଣ ହେବ ବୋଲି କହିଛନ୍ତି ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ । ତେବେ ସରକାର ସ୍କୁଲ ସଂଖ୍ୟା କମ କରିବାରେ ବ୍ୟସ୍ତ ଥିବାବେଳେ ଆବଶ୍ୟକସ୍ଥଳେ ସରକାର ଦୃଷ୍ଟି ଦେଉନଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ