ଅନୁଗୋଳ: ଆରମ୍ଭ ହୋଇଛି ବାଘୁଣୀ ସୁନ୍ଦରୀ ଧରା ଅଭିଯାନ। ରାଇଗୋଡ଼ ଏନକ୍ଲୋଜରରେ ଥିବା ବାଘୁଣୀକୁ ଯନ୍ତା ବସାଇ ଧରିବାକୁ ଉଦ୍ୟମ ଚଳାଇଛନ୍ତି ମଧ୍ୟପ୍ରଦେଶରୁ ଆସିଥିବା ବାଘ ଧରା ଟିମ। ଗତକାଲି (ରବିବାର) ଅପରାହ୍ଣରୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ୬ ଜଣିଆ ଦଳ ଲାଗି ପଡ଼ିଛନ୍ତି ସୁନ୍ଦରୀକୁ ଧରିବା କାର୍ଯ୍ୟରେ ।
ମଧ୍ୟପ୍ରଦେଶରୁ ଆସିଥିବା ସ୍ବତନ୍ତ୍ର ଯନ୍ତାରେ ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜର ଭିତରେ ରଖାଯାଇଛି । ଯନ୍ତା ଭିତରେ ତାକୁ ଖାଇବାକୁ ଦିଆ ଯାଇଛି। ସେ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗତକାଲି (ସୋମବାର) ସୁନ୍ଦରୀ ଖାଦ୍ୟ ଖାଇ ନଥିବା ଜଣା ପଡ଼ିଥିଲା।
ସେପଟେ ଆଜି ମଧ୍ୟ ସୁନ୍ଦରୀକୁ ଧରିବା ପାଇଁ ସେଭଳି ଭାବେ ବ୍ୟବସ୍ଥା ରହିଛି। ସୁନ୍ଦରୀକୁ ପ୍ରଥମେ ଆଦୌ ଟ୍ରାଙ୍କୁଲାଇଜ ନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏଥିପାଇଁ ସ୍ବତନ୍ତ୍ର ଯନ୍ତା ସାହାଯ୍ୟରେ ବାଘୁଣୀକୁ ଧରିବାକୁ ଉଦ୍ୟମ କରାଯାଉଛି। ଏହି ପ୍ରକ୍ରିୟା ହୁଏତ ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସାତକୋଶିଆ ଫିଲଡ ନିର୍ଦ୍ଦେଶକ କହିଛନ୍ତି।
ବାଘୁଣୀ ଯନ୍ତା ଭିତରକୁ କେତେବେଳେ ଆସିବ ସେ ଅପେକ୍ଷାରେ ରହିଛି ମଧ୍ୟପ୍ରଦେଶରୁ ଆସିଥିବା ବାଘ ଧରା ଟିମ। କାହ୍ନାରୁ ଆସିଥିବା ଜଣେ ଏସିଏଫଙ୍କ ତତ୍ତ୍ବାବଧାନରେ ଡାକ୍ତର, ବିଶେଷଜ୍ଞ ଏବଂ ଅନ୍ୟ ସହଯୋଗୀମାନେ ସେଠାରେ ସମ୍ପୂର୍ଣ୍ଣ ନିୟୋଜିତ ରହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ