ଅନୁଗୋଳ: ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ଅନୁଗୋଳ ଜିଲ୍ଲାର ଏନଟିପିସି ଥାନା ୧୫୩ ନମ୍ବର ଜାତୀୟ ରାଜପଥ ନକନକା ଗାଁ ନିକଟ ଓମ ଢାବା ନିକଟରେ ଟ୍ରକ ସହ ଏକ ବାଇକ ମୁହାଁମୁହିଁ ଧକ୍କାରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । କଣିହାଁ ଥାନା କମରେଇ ଗାଁର ଯୁବକ ଲଳିତ କୁମାର ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଓ ଅନ୍ୟ ଜଣେ ଯୁବକ ଜ୍ୟୋତି ରଞ୍ଜନ ସାହୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।
ତେବେ ତାକୁ ନେଇ ଆଜି ଅନୁଗୋଳ ସହରରେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକେ NTPC ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ରାସ୍ତାରେ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି । ଘଟଣାସ୍ଥଳରେ ପୋଲିସ , ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ