ଅନୁଗୋଳ: ଶାନ୍ତି ବାଣ୍ଟୁଛନ୍ତି ଶାନ୍ତି ସେନା । ଶ୍ରୀଲଙ୍କାରେ ଯେତେବେଳେ ପରିସ୍ଥିତି ସାଙ୍ଘାତିକ ଥିଲା ସେ ଭାରତୀୟ ଶାନ୍ତି ସେନା ଭାବରେ ଯାଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର ଦୁର୍ଘଟଣା ହେବାରୁ ଚାକିରୀ ହରାଇଲେ । କିନ୍ତୁ ଘରକୁ ଫେରି ସେ ନିଜ ଅଞ୍ଚଳରେ ସମାଜ ସେବା କାମରେ ଲାଗି ପଡିଛନ୍ତି । ନିଜ ଅଞ୍ଚଳରେ କିଭଳି ଲୋକେ ଶାନ୍ତିରେ ରହିପାରିବେ ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏଭଳି କାମ କରି ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି ନୌସେନାର ଅବସରପ୍ରାପ୍ତ କର୍ମଚାରୀ ଅନିରୁଦ୍ଧ ସାହୁ ।
ଜିଲ୍ଲାର ଜରପଡା ଅଞ୍ଚଳର ପରା ଗାଁର ଅନିରୁଦ୍ଧ ଭାରତୀୟ ନୌସେନାର ଜଣେ ଅବସରପ୍ରାପ୍ତ କର୍ମଚାରୀ । ଦେଶ ମାତୃକାର ସେବା ପାଇଁ ଉତ୍ସର୍ଗୀକୃତ ଅନିରୁଦ୍ଧ ନୌସେନାରୁ ଅବସର ନେଇଛନ୍ତି ସତ କିନ୍ତୁ ନିଜ ଅଞ୍ଚଳବାସୀଙ୍କ ସେବାରୁ ସେ ହୋଇନାହାଁନ୍ତି ନିବୃତ୍ତ । ଦିନେ ଭାରତୀୟ ସେନା ବାହିନୀର ଶାନ୍ତି ସେନା ଭାବେ କାର୍ଯ୍ୟ କରୁଥିଲେ ଆଉ ଏବେ ନିଜ ଅଞ୍ଚଳରେ ବାଣ୍ଟୁଛନ୍ତି ଶାନ୍ତିର ବାର୍ତ୍ତା । ସେନାର ମିଞ୍ଜାଶ ନେଇ ବଞ୍ଚୁଥିବା ଅନିରୁଦ୍ଧ ପାଲଟି ଯାଇଛନ୍ତି ଦରଦୀ ମଣିଷ । ବୃକ୍ଷରୋପଣ ହେଉ କି କୋଭିଡ ବେଳେ ପ୍ରବାସୀଙ୍କୁ ସାହାଯ୍ୟ ସବୁଠି ଆଗରେ ଅଛନ୍ତି ଏହି ନୌସେନାର ଅବସରପ୍ରାପ୍ତ କର୍ମଚାରୀ ।
୧୯୮୪ରେ ସେ ଭାରତୀୟ ନୌସେନାରେ ରେଡ଼ିଓ ଓ ରାଡ଼ାର ଚଳାଇବା ଦାୟିତ୍ୱ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୧୯୮୮ରେ ଜାହାଜରେ ରାଡ଼ାର ଠିକ କରୁଥିବା ସମୟରେ ଦୁର୍ଘଟଣାରେ ତାଙ୍କ ବାମ ହାତ ଅପଙ୍ଗ ହୋଇଯିବାରୁ ସେ ସେନାରୁ ଅବସର ନେଇଥିଲେ । କିନ୍ତୁ ଦେଶ ଆଉ ଜାତି ପାଇଁ କିଛି କରିବାର ନିଶାରେ ସେ ସମାଜ ସେବାକୁ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ଆଉ ସେଥିପାଇଁ ଅନେକ ସାମାଜିକ ଅନୁଷ୍ଠାନ ତାଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ।
ନିଜ ସ୍ତ୍ରୀ ଓ ଏକମାତ୍ର ଝିଅକୁ ନେଇ ତାଙ୍କ ପରିବାର । ସେ ଶାନ୍ତି ସୈନିକ ଭାବେ ଯାହା ଶିଖିଛନ୍ତି ଏବଂ ଯାହା କରିଛନ୍ତି ତାହାକୁ ନିଜ ଅଞ୍ଚଳରେ ଲୋକଙ୍କ କାମରେ ଲଗାଇବାକୁ ଚାହିଁ ସେଦିନରୁ କାମ ଆରମ୍ଭ କରିଛନ୍ତି । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ନିଜର ହୋଇ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଲୋକଙ୍କ ପାଇଁ ସେବା କରିବାକୁ ଶପଥ ନେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ