ଅନୁଗୋଳ: ଢେଙ୍କାନାଳ ଜିଲ୍ଲା ଷ୍ଟୋନ୍ କ୍ରସର ଆସୋସିଏସନର ସଭାପତି ରତିକାନ୍ତ ରାଉତଙ୍କୁ ଗିରଫ ନେଇ ଢେଙ୍କାନାଳରେ ଉତ୍ତେଜନା । ଏପରିକି ସୋମବାର ଓଡାପଡା ବ୍ଲକ ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣିକୁ ତୀବ୍ର ବିରୋଧ କରିଛନ୍ତି ଲୋକେ ।
ଓଡାପଡା ବ୍ଲକର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଲୋକ ଢେଙ୍କାନାଳ ଏସପିଙ୍କ କାର୍ଯ୍ୟକଳାପ ବିରୋଧରେ ନାରାବାଜି ଦେଉଛନ୍ତି। ଫଳରେ ଓଡାପଡାରେ ପ୍ରଶାସନର ଏହି ଜନ ଶୁଣାଣି ବିଭ୍ରାଟ ସୃଷ୍ଟି ହୋଇଥିବାବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ଲୋକେ।
ଚୋରି ଡକାୟତି ଲୁଟପାଟ ଓ ରାହଜାନୀ ବଢି ଚାଲିବା ସହ ବ୍ରାଉନ ସୁଗାରଠୁ ଆରମ୍ଭ କରି ଗୋଚାଲାଣ ବଢିଚାଲିଛି । ମାତ୍ର ପୋଲିସ ଚୋର ଡକାୟତ ଗୋଚାଲାଣକାରୀ ମାଫିଆଙ୍କୁ ଛାଡି ଉଦ୍ଦେଶ୍ୟ ମୂଳକ ଭାବେ ନିଦ୍ଧିଷ୍ଟ ଭାବେ ଜଣେ କ୍ରସର ମାଲିକଙ୍କ ପଛରେ ପଡିଛି । ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ମିଥ୍ୟା ମାମଲା କରି ତାଙ୍କୁ ଗିରଫ କରୁଛି ବୋଲି ଅଭିଯୋଗ ଉଠାଇଛନ୍ତି ଜନସାଧାରଣ ।
ଗୋଟେ ପଟେ ପ୍ରଶାସନ ଲୋକର ବୋଲି ସରକାର କହୁଥିବାବେଳେ ଢେଙ୍କାନାଳରେ ଲୋକଙ୍କ ପ୍ରଶାସନକୁ ବିରୋଧ ସରକାରୀ ଘୋଷଣାର ବ୍ୟତିକ୍ରମ ।ଏନେଇ ଜିଲ୍ଲାପାଳ କହିଛନ୍ତି, ଯାହା ଘଟିଛି ଆଉ ତାର ପୁନରାବୃତ୍ତି ହେବ ନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ