ଅନୁଗୋଳ: ଘର ଭାଙ୍ଗିବା ବେଳେ ଅଘଟଣ । ଛାତ ଓ କାନ୍ଥ ଭୁଶୁଡି 3 ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବଅଁରପାଳ ଥାନା ନୂଆହତା ଗାଁ ବାଲିସାହିରେ । ଆହତ 3 ଜଣ ବିରେନ୍ଦ୍ର ସାହୁ, ଅଜିତ୍ ସାହୁ ଓ ଜୟନ୍ତ ସାହୁ ବୋଲି ଜଣାପଡିଥିବାବେଳେ ମୃତକ ହେଉଛନ୍ତି ସିପୁ ସାହୁ ।
ସୂଚନାନୁସାରେ, ଜାତୀୟ ରାଜପଥ 55ର ସମ୍ପ୍ରସାରଣ ପାଇଁ ବାଲିସାହି ଗାଁରେ ଘର ଭାଙ୍ଗିବାକୁ ନୋଟିସ ହୋଇଥିଲା । ଏଥିପାଇଁ ଗାଁର ଧନେଶ୍ବର ମୁଦୁଲି ନାମକ ଜଣେ ବ୍ୟକ୍ତି କିଛି ଶ୍ରମିକ ଲଗାଇ ନିଜ ଘର ଭାଙ୍ଗୁଥିଲେ । ତେବେ ହଠାତ ଘରର ଏକ ଛାତ ଭୁଶୁଡି ପଡିବାରୁ କାମ କରୁଥିବା ୪ ଜଣ ଶ୍ରମିକ ତଳେ ଚାପି ହୋଇ ଯାଇଥିଲେ ।
ସ୍ଥାନୀୟ ଲୋକ ଜେସିବି ମେସିନ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବିରେନ୍ଦ୍ର, ଅଜିତ୍ ଓ ଜୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ସିପୁଙ୍କୁ କଟକ ବଡ ମେଡିକାଲ ପଠାଇବାକୁ ବ୍ୟବସ୍ଥା କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ