ଅନୁଗୋଳ: ନକଲି ଆଡମିଟ କାର୍ଡ ଦେଇ ଠକିଦେଲେ କଲେଜ କର୍ତ୍ତୃପକ୍ଷ । ପରୀକ୍ଷାରୁ ବଞ୍ଚିତ ହେଲେ ଆଦିବାସୀ ଛାତ୍ରୀ । ପଚାରିବାରୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ନର୍ସିଂ କଲେଜ ବିରୁଦ୍ଧରେ ଏଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏଠାରେ ପଢୁଥିବା ୫ଜଣ ଆଦିବାସୀ ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ନକଲି ଆଡ଼ମିଟ କାର୍ଡ ଦେଇଥିବାରୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ତଦନ୍ତ ଆଳରେ ଦିନ ଗଡାଉ ଥିବାରୁ ଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।
ଅଭିଯୋଗ ମୁତାବକ, ଛେଣ୍ଡିପଦାସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ୫ ଜଣ ଆଦିବାସୀ ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ନକଲି ଆଡ଼ମିଟ କାର୍ଡ ଦେଇଥିଲେ । ଫଳରେ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ । ଏସମ୍ପର୍କରେ ସମ୍ପୃକ୍ତ ଛାତ୍ରୀ ବାରମ୍ବାର ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସୋମବାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି ।
ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ସମସ୍ତେ ଦ୍ଵିତୀୟ ବର୍ଷର ଛାତ୍ରୀ । କଲେଜରେ ନାମ ଲେଖା ଓ ପରୀକ୍ଷା ଫର୍ମ ପୂରଣ ପାଇଁ ଲକ୍ଷାଧିକ ଟଙ୍କା ଜମା କରିଛନ୍ତି । ଜାନୁଆରୀ ୯ତାରିଖରେ ଅନୁଗୁଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ପଡିଥିଲା । ଯେତେବେଳେ ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ତାହା ଯାଞ୍ଚ କରି ନକଲି ବୋଲି ଜାଣିପାରିଥିଲେ ଏବଂ ସେମାନଙ୍କୁ ପରୀକ୍ଷା ଦେବାକୁ ବାରଣ କରିଥିଲେ । ଏହାପରେ ଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କୁ ସାଥିରେ ନେଇ ନର୍ସିଂ କଲେଜ ଯାଇ ଅଧ୍ୟକ୍ଷଙ୍କୁ ପଚାରିବା ପରେ ଅଧ୍ୟକ୍ଷ ସେମାନଙ୍କୁ ଧମକ ଚମକ ଦେଇ ବିଦା କରି ଦେଇଥିଲେ ।
ଏନେଇ ସେମାନେ ଛେଣ୍ଡିପଦା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ସେଠାରେ ମଧ୍ୟ ନ୍ୟାୟ ନମିଳିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହିପରି ବାରମ୍ବାର ପୋଲିସ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ଛେଣ୍ଡିପଦା ପୋଲିସ ସେହି ମାସ ୧୯ ତାରିଖରେ ନର୍ସିଂ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦଫା ୪୨୦, ୪୬୮ ଓ ୪୭୧ରେ ମାମଲା ରୁଜୁ କରିଥିଲା । କିନ୍ତୁ ଅଭିଯୁକ୍ତକୁ ଗିରଫ କରାନଯିବାରୁ ସେ କଲେଜ ତାଲା ପକାଇ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି । ଅନୁଗୁଳ ଉପଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ କଲେଜ ତାଲା ପଡିଥିଲା ।
ଏ ଦିଗରେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗରେ ଛାତ୍ରୀମାନେ ବାଧ୍ୟ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଉପଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଲକ୍ଷାଧିକ ଟଙ୍କା ଦେଇ ନର୍ସିଂ ପାଠ ପଢୁଥିବା ଗରିବ ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତ କ'ଣ ହେବ ସେନେଇ ପ୍ରଶ୍ନ ଉଠିଛି ।
ଇଟିଭି ଭାରତ, ଅନୁଗୋଳ