ଅନୁଗୋଳ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନଟିପିସିର ଅନୁଗୋଳ କଣିହାଁ ୟୁନିଟ ବିଦ୍ୟୁତ ଉତ୍ପାଦନରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଉତ୍ପାଦନ କରିଛି । ଏହା ସହିତ ବିଦ୍ୟୁତ ବିତରଣରେ ମଧ୍ୟ କମ୍ପାନୀ ବେଶ ଆଗରେ ରହିଛି । ଏନେଇ କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ । ସେପଟେ ଏନଟିପିସି ପରିଚାଳନାଧୀନ ଟିଟିପିଏସ ଆସନ୍ତା ମାର୍ଚ୍ଚ 31 ତାରିଖରେ ପରିବେଶ ମଞ୍ଜୁରୀ ସରିଥିବାରୁ କାରଖାନାକୁ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ମହାପ୍ରବନ୍ଧକ କହିଛନ୍ତି, କଣିହାଁରେ 360 କିଲୋ ୱାଟ ସୌର ବିଦ୍ୟୁତ ଉତ୍ପାଦନ ହେଉଛି । ଆଗକୁ ଆଉ 500 କିଲୋୱାଟ ସୌର ବିଦ୍ୟୁତ ଉତ୍ପାଦନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହେଲାଣି ବୋଲି ସୂଚନା ଦେଇଛନ୍ତି । ଏନଟିପିସି ସାରା ଦେଶରେ ଅଧିକ ବିଦ୍ୟୁତ ଉତ୍ପାଦନ କରୁଥିବା ଶ୍ରେଷ୍ଠ 10ଟି ପ୍ଲାଣ୍ଟ ମଧ୍ୟରୁ 7ମ ସ୍ଥାନ ଅଧିକାର କରିଛି କମ୍ପାନୀ । ବିଦ୍ୟୁତ ଉତ୍ପାଦନରେ ଯେ, ବୃଦ୍ଧି କରିଛି ତାହା ନୁହେଁ ବିଜୁଳି ବିତରଣରେ ମଧ୍ୟ ବେଶ ଆଗକୁ ଯାଇଛି ।
ଗୋଟିଏ ପଟେ, ଏନଟିପିସି ସଫଳତାର ସିଡି ଚଢୁଥିବା ବେଳେ ସେହି କମ୍ପାନୀ ପରିଚାଳନାଧିନ ଟିଟିପିଏସ ଆସନ୍ତା ମାର୍ଚ୍ଚରେ ବନ୍ଦ ହେବ । ପ୍ଳାଣ୍ଟର ପରିବେଶ ମଞ୍ଜୁରୀ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ଚଳାଇ ହେବ ନାହିଁ ବୋଲି ମଧ୍ୟ ଶ୍ରୀ ନାଗ ସୂଚନା ଦେଇଛନ୍ତି । ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବେ ତେବେ ପରିବେଶ ମଞ୍ଜୁରୀର ଅବଧି ବଢାଇ ଏହାକୁ ଚଳାଇ ପାରିବେ । ଯଦି ସେଭଳି ନହୁଏ ତେବେ ଟିଟିପିଏଶ ପ୍ଳାଣ୍ଟ ମାର୍ଚ୍ଚ ୩୧ ପରେ ବନ୍ଦ କରିବାକୁ ପଡିବ ।
ଏନଟିପିସି କମ୍ପାନୀ ଭଲ ଉତ୍ପାଦନ କରୁଥିବା ବେଳେ ଅନ୍ୟ ଏକ କମ୍ପାନୀ ଏବେ ବନ୍ଦ ହେବାକୁ ଯାଉଛି । ଏଥିପାଇଁ କିଏ ଦାୟୀ ତାହାର ଉତ୍ତର ଏବେ କାହା ପାଖରେ ନାହିଁ । ସେପଟେ ଟିଟିପିଏସ ରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକ ଏବେ ଆଶା ଆଶଙ୍କାରେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ