ଅନୁଗୋଳ: ଅସହ୍ୟ ହେଲାଣି ଗ୍ରୀଷ୍ମ ପ୍ରବାହ । ଅନୁଗୋଳରେ ନିଆଁ ବର୍ଷା । ପ୍ରତ୍ୟେକ ଦିନ ପ୍ରାୟ ପାରଦ ୪୧ଡିଗ୍ରୀ ରହୁଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳବାସୀ । ଗତ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବ୍ୟାପକ ଗ୍ରୀଷ୍ମପ୍ରବାହ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପଟେ ଆଉ ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଥିଲେ ମଧ୍ୟ ବଦଳୁନି ପାଗ ।
ତେବେ ଅନୁଗୋଳରେ ମଧ୍ୟ ଅସହ୍ୟ ତାତି ସହ ଝାଞ୍ଜି ପବନ ଫଳରେ ଦିନ ୧୦ଟା ପରେ ଘରୁ ବାହାରିବା ମସ୍କୁଲ ହୋଇଛି । ଲଗାତାର ଗତ ପାଞ୍ଚଦିନ ହେବ ଅନୁଗୋଳ ଜିଲ୍ଲାରେ ତାପମାତ୍ରା ବଢ଼ିବାରେ ଲାଗିଛି । ତାତିର ଦାଉରେ ଲୋକେ ତ୍ରାହିତ୍ରାହି ଡାକିଲେଣି । ଜିଲାର ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସର୍ବନିମ୍ନ ତାପମାତ୍ରା 29 ଡିଗ୍ରୀ ରହୁଛି ।
ସ୍ଥାନୀୟ ବାସିନ୍ଦା କହିଛନ୍ତି,‘‘ବଢିବଢି ଚାଲିଛି ତାତି ତାଉ । ଶିଳ୍ପ ଅଞ୍ଚଳ ହୋଇଥିବା ବେଳେ ଗରମ ଅସହ୍ୟ ହେବାରେ ଲାଗିଛି । ଧୂଆଁ ଓ ଧୂଳିରେ ଅଣ ନିଶ୍ବାସୀ କରିଦେଉଛି । ବିଭିନ୍ନ କାମରେ ସହରକୁ ଆସୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି ତାପମାତ୍ରା । ନିହାତି କାମ ଥିବା ଲୋକ ବାହାରକୁ ବାହାରୁ ଥିଲେ ବି ଖରା ପାଇଁ ନାନା ହଇରାଣର ଶିକାର ହେଉଛନ୍ତି । ହେଲେ ବ୍ୟବସାୟ ଉପରେ ନିର୍ଭର କରି ଚଳୁଥିବା ଲୋକ ଏବଂ ଦିନ ମଜୁରିଆଙ୍କ ପାଇଁ ଖରା ଏବେ କାଳ ସାଜିଛି । ଖରାରେ କାମ କରିବା କଷ୍ଟକର ହେବା ବେଳେ କିପରି ଗୁଜୁରାଣ କରିବେ ସେନେଇ ମୁଣ୍ଡରେ ହାତ ଦେଇଛି ଖଟିଖିଆ ।’’
ଗ୍ରୀଷ୍ମ ପ୍ରସ୍ତୁତିକୁ ନେଇ ଜିଲ୍ଲା ପ୍ରସାଶନ ଉପରେ ପ୍ରଶ୍ନବାଚୀ: ସାଧାରଣ ଗରିବ ଲୋକଟି ଏହି ତାତିର ତାଉରେ ଅସ୍ତବ୍ୟସ୍ତ । ହଠାତ ତାପମାତ୍ରା ବଢି ଯାଇଥିବାରୁ ଲୋକଙ୍କ ହୀନସ୍ଥା ବଢି ଯାଇଛି । ନିହାତି କାମରେ ବାହାରକୁ ଆସିଥିବା ଲୋକଟି କେବଳ ଗଛ ଛାଇ ଟିକିଏ ଖୋଜୁଛି । ସେପଟେ ଜିଲ୍ଲା ପ୍ରଶାସନ ଖରା ମୁକାବିଲା କଥା ସମ୍ପୂର୍ଣ୍ଣ ଭୁଲି ଯାଇଛି । ସହରରେ ଜଳଛତ୍ର କି ଯାତ୍ରୀମାନଙ୍କ ପାଇଁ ଆଶ୍ରୟସ୍ଥଳ ଓ ବିଶ୍ରାମାଗାର ନଥିବା ଆଭିଯୋଗ କରିଛନ୍ତି ଜିଲ୍ଲାବାସୀ । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଖରା ଓ ଗରମ ଅଧିକ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ କିଛି ଆଖି ଦୃଷ୍ଟିଆ କାର୍ଯ୍ୟ କରାଯାଇ ନାହିଁ ବୋଲି ସହରବାସୀ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ