ଅନୁଗୋଳ: ଆଗାମୀ ଦେଢମାସ ଭିତରେ ସରିବ ୫୫ନମ୍ବର ଜାତୀୟ ରାଜପଥର ମରାମତି କାମ । ଉପବାଚସ୍ପତିଙ୍କ ନେତୃତ୍ବରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଦାବିରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ରବିବାର ୬ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଏହାର ସମାଧାନ ପାଇଁ ଉପବାଚସ୍ପତିଙ୍କ ନେତୃତ୍ବରେ ସର୍କିଟ ହାଉସ ଠାରେ ବୈଠକ କରାଯାଇଥିଲା । ଉପବାଚସ୍ପତିଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ସମସ୍ତ ବିଧାୟକ, RDCଙ୍କ ଠାରୁ ଆରମ୍ଭ କରି NHI କର୍ତ୍ତୃପକ୍ଷ, ଉଭୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ ।
ଶୋଚନୀୟ NH-55: ଆଜି 6 ଘଣ୍ଟିଆ ରାସ୍ତା ଅବରୋଧ କରିବ ଓକିଲ ସଂଘ
ଦୀର୍ଘ 3 ଘଣ୍ଟାର ବୈଠକ ପରେ ଆଗାମୀ 7 ଦିନ ଭିତରେ NHAI ବଅଁରପାଳ ଠାରେ ମରାମତି କାମ ଆରମ୍ଭ କରିବା ସହ ଅନ୍ୟ ସମସ୍ତ ରାସ୍ତା କାମ ଦେଢ଼ ମାସ ଭିତରେ ସାରିବ ବୋଲି ପ୍ରତିଶ୍ରୁତି ଦେଇଛି । ଏଥିପାଇଁ ତୁରନ୍ତ ଏକ ପ୍ଲାନ କରିବା ସହ RDC ଙ୍କ ତତ୍ୱାବଧାନରେ ଏହାର ସମୀକ୍ଷା କରାଯିବା ସହ କାମ ତଦାରଖ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ଅନୁଗୋଳ