ଅନୁଗୋଳ: ସିଗାରେଟ ମାଗିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ଏବଂ ପରେ ହତ୍ୟାକାଣ୍ଡ ଘଟିଛି । ଛୁରୀ ଆକ୍ରମଣରେ ଯୁବକର ମୃତ୍ୟୁ ହୋଇଛି । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଅନୁଗୋଳ ଜିଲ୍ଲା ସଦର ଥାନା ଆଁକୁଲା ନୂଆସାହି ଗାଁରେ । ମିଳିଥିବା ସୂଚନା ଅନୁସାରେ ନୂଆଁ ସାହିର ଲଳିତ ସାହୁ ନାମକ ଜଣେ ଯୁବକ ଗାଁ ଛକରେ ଦୋକାନ କରିଛନ୍ତି । ଗାଁର ଦୁଷ୍ମନ୍ତ ସାହୁ ନାମକ ଅନ୍ୟ ଜଣେ ଯୁବକ ତାଙ୍କୁ ସିଗାରେଟ ମାଗିଥିଲେ ।
ତେବେ ପୂର୍ବରୁ ଏକ ସିଗାରେଟର ଟଙ୍କା ବାକି ଥିବା ବେଳେ ପୁଣି ସିଗାରେଟ ମାଗିବାକୁ ନେଇ ଉଭୟ ଦୁଷ୍ମନ୍ତ ଓ ଲଳିତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯେଉଁଥିରେ ଉତ୍ୟକ୍ତ ହୋଇ ଦୁଷ୍ମନ୍ତ ଓ ତାଙ୍କ ଦୁଇ ଭାଇ ମିଶି ଲଳିତକୁ ଆକ୍ରମଣ କରିଥିଲେ । ଦୁଷ୍ମନ୍ତଙ୍କ ଭାଇ ଏକ ଛୁରୀରେ ଲଳିତଙ୍କ ପିଠିକୁ ଆଘାତ କରିବା ପରେ ଲଳିତ ସେଠାରେ ଖସିପଡ଼ିଥିଲେ । ଆକ୍ରମଣ କରି ଦୁଷ୍ମନ୍ତଙ୍କ ପରିବାର ଫେରାର ହୋଇଯାଇଥିବା ବେଳେ ଲଳିତଙ୍କ ପରିବାର ଲୋକ ଲଳିତଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ