ଅନୁଗୋଳ: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୁପୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆଜି(ଶୁକ୍ରବାର) ଠାରୁ ଆରମ୍ଭ ହୋଇ ଯାଇଛି । ମନ୍ଦିରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ମା' ଅଗ୍ନିରୂପରେ ଆବିର୍ଭାବ ହୋଇଛନ୍ତି । ଦୁଇ ବର୍ଷ ହେଲା ମା'ଙ୍କ ଯାତ୍ରା ବନ୍ଦ ରହିଥିଲା । ମାତ୍ର ଚଳିତ ବର୍ଷ ମା'ଙ୍କ ସାନିଧ୍ୟ ପାଇବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ବିଷ୍ଣୁ ଦମନ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳପ୍ରସାଦ ଠାରେ ମା' ହିଙ୍ଗୁଳା ଅଗ୍ନିରୂପରେ ଉଭା ହୁଅନ୍ତି । ସେହିଦିନ ଠାରୁ ଆରମ୍ଭ ହୁଏ ମା'ଙ୍କ ଯାତ୍ରା । ୯ ଦିନ ଧରି ମା'ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୁଏ ।
ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରୋଷଘର ସହ ଅଗ୍ନିରୂପୀଙ୍କର ନିବିଡ଼ ସମ୍ପର୍କ ରହିଛି । ଦୀର୍ଘ ୨ ବର୍ଷ କୋରୋନା କଟକଣା ଯୋଗୁଁ ମା'ଙ୍କ ବାର୍ଷିକ ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ କୋହଳ ହେବା ପରେ ଆଜି ଠାରୁ ମହା ଆଡମ୍ବରରେ ଆରମ୍ଭ ହୋଇଛି ମା'ଙ୍କ ଯାତ୍ରା । ମନ୍ଦିର ପଛ ପଟେ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଗ୍ନି ରୂପରେ ମା' ଆବିର୍ଭାବ ହୋଇଛନ୍ତି । ମା'ଙ୍କ ଉଭାସ୍ଥଳରେ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି । ଭକ୍ତଙ୍କ ହୁଳହୁଳି ଶବ୍ଦରେ କମ୍ପି ଉଠୁଛି ଉଭାସ୍ଥଳ । ନିଜ ନିଜ ମନସ୍କାମନା ପାଇଁ ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି ଓ ଦୀପ ଦାନ କରୁଛନ୍ତି । ଉତ୍ସବ ମୁଖରିତ ହୋଇ ଉଠିଛି ତାଳଚେରର ଗୋପାଳ ଗଡ । ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ପ୍ରବଳ ଖରା ସତ୍ତ୍ବେ ଭକ୍ତଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ବିଭିନ୍ନ ସ୍ଥାନରୁ ମା'ଙ୍କ ଦର୍ଶନ ପାଇଁ ଭକ୍ତ ଛୁଟି ଆସୁଛନ୍ତି ।
ସମସ୍ତେ କିଭଳି ମା'ଙ୍କ ଦର୍ଶନ ସୁରୁଖୁରୁରେ କରିପାରିବେ ସେଥିପାଇଁ ପୋଲିସ ଓ ପୂଜା କମିଟି ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରୁଛନ୍ତି । ଭକ୍ତ ମାନଙ୍କୁ ଲମ୍ବା ଲାଇନ କରି ମା'ଙ୍କ ଦର୍ଶନ ପାଇଁ ଛଡାଯାଉଛି । ଆଜି ପ୍ରାୟ ୪୩ ଡିଗ୍ରୀ ତାପମାତ୍ରା ଯୋଗୁଁ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି । ଏଣୁ ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ବହୁ ସ୍ଥାନରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କ ପାଇଁ ବିଶ୍ରାମ ସ୍ଥଳ, ଚିକିତ୍ସା କେନ୍ଦ୍ର ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ସବୁ ସ୍ଥାନରେ ପୋଲିସ ଛାଉଣି କରାଯାଇଛି । ଶତାଧିକ ଦୋକାନ ବଜାର ଖୋଲିଛି । ଦିନ ରାତି ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ପ୍ରତ୍ୟକ ଦିନ ସନ୍ଧ୍ୟାରେ ଉନ୍ନତମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଚଳିତ ବର୍ଷ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରେ ପ୍ରାୟ ୫ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଏଣୁ ଭକ୍ତଙ୍କ ଭାବନା ଓ ମା'ଙ୍କୁ ଦର୍ଶନ କରିବାର ଯେଉଁ ଭକ୍ତିଭାବ ଦେଖିବାକୁ ମିଳିଛି ତାହା ଅବର୍ଣ୍ଣନୀୟ । ମା'ଙ୍କ ମନ୍ଦିର ଠାରୁ ଉଭାସ୍ଥଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ବାତାବରଣ ଓ ପରିବେଶ ସୃଷ୍ଟି ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ