ଅନୁଗୋଳ: ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର ଯନ୍ତାଳ ଯାତ୍ରା ଅନୁଷ୍ଠିତ । ମା’ଙ୍କ ବାର୍ଷିକୀ ଯାତ୍ରାର ଠିକ ନଅ ଦିନ ପୂର୍ବରୁ ଏହି ଯନ୍ତାଳ ପୂଜା ଅନୁଷ୍ଠିତ ହୋଇଥାଏ । ମାଆ ହିଙ୍ଗୁଳାଙ୍କ ପାର୍ଶ୍ଵ ଦେବୀ ଭାବେ ପ୍ରସିଦ୍ଧ କୁଟେଇ ଶୁଣୀଙ୍କ ପୀଠରେ ଏହି ପୂଜା କରାଯାଇଥିଲା । ଏହି ପୂଜା ମାଧ୍ୟମରେ ମାଆଙ୍କର ଉଭାସ୍ଥଳୀ ନିର୍ଘଣ୍ଟ ହୋଇଥାଏ । ଯନ୍ତାଳ ପୂଜାରେ ପତିଆରଙ୍କୁ ଦେବୀ ରୂପରେ ଷୋଡଶ ଉପଚାରରରେ ପୂଜା କରାଯାଇଥାଏ । ବିଶ୍ବାସ ରହିଛି ଯେ, ତାଙ୍କ ଶରୀରରେ ଦେବୀ ଆର୍ବିଭାବ ହୋଇ ଅଗ୍ନିରୂପା ମାଆ ହିଙ୍ଗୁଳାଙ୍କ ଆବିର୍ଭାବର ଦିଗ ନିର୍ଦ୍ଦିଷ୍ଟ କରିଥାନ୍ତି ।
ତେବେ ଏହି ନୀତି ପୂର୍ବକ ଦିଅଁ ଘରୁ ଆଲମ ଅଣାଯାଇ ପତିଆର ପୂଜା କରାଯାଇଥିଲା । ବିଧି ଅନୁଯାୟୀ ଯଥାରୀତି ପତିଆରଙ୍କୁ ଦେହୁରି ମାନେ ଘିଅ, ମୋହୁ, ଗୁଡ, ଝୁଣା ଓ ଧୂପ ଆଦି ଦେଇ ମାଜଣା କରାଇଥିଲେ । ମାଆ କାଳିଶି ରୂପେ ବିଜେ ହୋଇ ଉଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଯାହା ପାଇଁ ଅନେକ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା କୁଟେଇଶୁଣି ମନ୍ଦିର ନିକଟରେ । ମଧ୍ୟରାତ୍ରରେ ମାଆ ସ୍ଵପ୍ନାଦେଶରେ ନିଜର ଉଭା ସ୍ଥଳୀ ଚିହ୍ନଟ ସମ୍ପର୍କରେ ସୂଚନା ଦେବା ପରେ ସ୍ଥାନ ସ୍ଥିର ହୋଇଛି । ଆସନ୍ତା 4 ତାରିଖରେ ହେବ ମାଆଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ଗୋପାଳ ଗଡ଼ରେ ଚାଲିଛି ପ୍ରସ୍ତୁତି ପର୍ବ ।
ପ୍ରକାଶ ଥାଉକି, ଆରମ୍ଭ ହେବାକୁ ଯାଉଛି ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ । ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ମା’ ହିଙ୍ଗୁଳା ଅଗ୍ନି ରୂପରେ ଉଭା ହୁଅନ୍ତି । ଚତୁର୍ଦ୍ଦଶୀ ତିଥିରୁ ଆରମ୍ଭ ହୋଇଥାଏ ମାଆଙ୍କ ବାର୍ଷିକ ଯାତ୍ରା । ଚଳିତ ବର୍ଷ ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୯ ଦିନ ଧରି ଚାଲିବ । ମା’ଙ୍କ ଏହି ଯାତ୍ରା ବେଶ ଧୁମଧାମରେ ପାଳନ କରାଯାଏ ।
ପ୍ରତି ବର୍ଷ ମନ୍ଦିର ଠାରୁ କିଛି ଦୂରରେ ଅଗ୍ନି ରୂପରେ ମା’ ଆବିର୍ଭାବ ହୋଇ ଥାଆନ୍ତି । ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଠାରୁ ଭକ୍ତମାନଙ୍କ ପ୍ରସାଦ ସେବନ, ଦର୍ଶନ ଓ ସମସ୍ତ ସୁବିଧା ପାଇଁ ଭିନ୍ନ ଭିନ୍ନ କମିଟି ଗଠନ କରାଯାଇଛି ।
ଇଟିଭି ଭାରତ, ଅନୁଗୋଳ