ଅନୁଗୋଳ: ଅନୁଗୋଳ ହେବାକୁ ଯାଉଛି ବିଶ୍ବର ଷ୍ଟିଲ ହବ । ଜିଲ୍ଲାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ କରିବା ତାର କଳେବର ବିସ୍ତାର । ବାର୍ଷିକ ୬ ନିୟୁତ ଟନ ଇସ୍ପାତ ଉତ୍ପାଦନ କରୁଥିବା ଏହି କମ୍ପାନୀ ଖୁବ ଶୀଘ୍ର ୨୫ ମିଲିୟନ ଟନ ଉତ୍ପାଦନ କ୍ଷମତା ରଖୁଥିବା ଇଣ୍ଟିଗ୍ରେଟେଡ଼ ପ୍ଲାଣ୍ଟ ବସାଇବାକୁ ଯାଉଛି । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ପରିବେଶ ଜନିତ ଜନଶୁଣାଣୀରେ ଏନେଇ ପ୍ରକାଶ କରିଛି କମ୍ପାନୀ ।
JSPLର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଭାବେ ଜିନ୍ଦଲ ଷ୍ଟିଲ ଓଡିଶା ପକ୍ଷରୁ ୨୫ ମିଲିୟନ ଟନ ଉତ୍ପାଦନ କ୍ଷମତା ରଖୁଥିବା ଇଣ୍ଟିଗ୍ରେଟେଡ଼ ପ୍ଲାଣ୍ଟ ବସିବ । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଅନୁଗୋଳ ସଭାଗୃହରେ ଗତକାଲି (ବୁଧବାର) ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମ୍ପାନୀ ପାଇଁ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେଉଥିବା ୧୪ଟି ନିକଟସ୍ତ ଗାଁର ଲୋକେ ସାମିଲ ହୋଇ ନିଜ ନିଜ ମତ ରଖିଥିଲେ । ସମସ୍ତ ଜନସାଧାରଣ କମ୍ପାନୀ ସପକ୍ଷରେ ମତ ଦେଇଥିବା ବେଳେ ନିଯୁକ୍ତି ଓ କ୍ଷତିପୂରଣ ଦିଗରେ କମ୍ପାନୀ ଉଚିତ ପଦକ୍ଷେପ ନେବାକୁ ମତ ରଖିଥିଲେ । ଏହି ଇଣ୍ଟିଗ୍ରେଟେଡ଼ ପ୍ଲାଣ୍ଟ ପାଇଁ ୧,୧୯,୯୫୨ କୋଟିର ପୁଞ୍ଜିନିବେଶ ଲକ୍ଷ ଥିବା ବେଳ ପ୍ଲାଣ୍ଟ ହେଲେ ୯ ହାଜର ରୁ ଅଧିକ ଲୋକ ସିଧାସଳଖ ନିଯୁକ୍ତି ପାଇବା ସହ ଅନେକ ପରୋକ୍ଷ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପ୍ରକାଶ କରିଛି ।
ଏହି ପ୍ରସ୍ତାବିତ ପ୍ରକଳ୍ପରେ ପ୍ଲେଟ ପ୍ଳାଣ୍ଟର କ୍ଷମତା ବାର୍ଷିକ ୫.୦ ମିଲିୟନ ଟନରୁ ୨୬.୦ ମିଲିୟନ ଟନ ଏବଂ ହଟ୍ ରୋଲିଙ୍ଗ ମିଲ ବାର୍ଷିକ ୩.୧ ମିଲିୟନ ଟନରୁ ୨୧.୧ ମିଲିୟନ ଟନକୁ ସଂପ୍ରସାରଣ କରାଯିବ । ଏହା ସହିତ ବାର୍ଷିକ ୧୯.୨ ମିଲିୟନ ଟନ ସମନ୍ଵିତ ଇସ୍ପାତ କାରଖାନା ସ୍ଥାପନ କରାଯିବ । ଏହି ପ୍ରସ୍ତାବିତ କାରଖାନାରେ ୫.୪ ଏମଟିପିଏ ଡିଆରଆଇ ପ୍ଳାଣ୍ଟ, ୧୧.୫ ଏମଟିପିଏ ସିଣ୍ଟର ପ୍ଳାଣ୍ଟ, ୧.୨ ଏମଟିପିଏ ୱେୟାର ରଡ୍ ମିଲ୍, ୭.୫ ଏମଟିପିଏ ସିଆରଏମ, ୭୨୦୦ ଟିପିଡି କାଲ୍ସିନେସନ ପ୍ଳାଣ୍ଟ, ୧୧୦୦୦ ଟିପିଡି ଅମ୍ଳଯନ କାରଖାନା, ୫୫୦ ମେଗା ୱାଟ ତାପଜ ବିଦ୍ୟୁତ କେନ୍ଦ୍ର, ୦.୩୭୬ ଏମଟିପିଏ ଫେରୋଆଲଏଜ ପ୍ଳାଣ୍ଟ, ଏବଂ ୧.୫ ଏମଟିପିଏ ସିମେଣ୍ଟ କାରଖାନା ରହିଛି ।
ଇଟିଭି ଭାରତ, ଅନୁଗୋଳ