ଅନୁଗୋଳ: ଜିଲ୍ଲା ପୋଲିସ କବଜାରେ ନକଲି ମଦ ବ୍ୟବସାୟୀ । ଅନୁଗୋଳ ତାଳମୂଳ ଗାଁରେ ଠାବ ହେଲା ନକଲି ମଦ କାରଖାନା । ଦୁଇ ଜଣକୁ ଗିରଫ କରିଛି ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ।
ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ତଳମୂଲପାଟଣା ଗାଁ ଗୋଡିସାହିରେ ନକଲି ମଦ ତିଆରି କାରଖାନା ଠାବ କରିଛି ପୋଲିସ । ସ୍ବତନ୍ତ୍ର ସ୍କ୍ବାର୍ଡ ଅଧିକାରୀ ଡି.କେ ମିଶ୍ରଙ୍କ ନେତୃତ୍ବରେ ଏହି ଚଢଉ ହୋଇଛି । ଚଢଉ ବେଳେ ନକଲି ମଦ ତିଆରି କାରଖାନାରୁ ବିପୁଳ ନକଲି ମଦ ସହ ମଦ ତିଆରି ସରଞ୍ଜାମ ଜବତ ହୋଇଛି ।
ଦୀର୍ଘଦିନ ଧରି ଏହି କାରଖାନାରେ ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ ହୋଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା । ଏହି ନକଲି କାରଖାନାରୁ ୭ ଶହ ନକଲି ମଦ ବୋତଲ, ବ୍ରାଣ୍ଡ ଷ୍ଟିକର୍, ସ୍ପିରିଟ୍, ଡ୍ରମ୍ ପ୍ରଭୃତି ଜବତ ହୋଇଛି । ବେଆଇନ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରିଥିବା ୨ ଅଭିଯୁକ୍ତଙ୍କୁ ବଅଁରପାଳ ଥାନାରେ ଜିମା ଦେଇଥିବାବେଳେ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଗିରଫ ଅଭିଯୁକ୍ତ ଦୁହେଁ ହେଲେ ସଂଗ୍ରାମ ସାହୁ ଓ ମଣ୍ଟୁ ବେହେରା ।
ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ