ଭୁବନେଶ୍ବର: ମଝି ଆକାଶରେ ଘଟିଯାଇଥିବା ଭୟାନକ ଦୁର୍ଘଟଣାକୁ ଆଜକୁ ପୁରୁଛି ଚାରିଦିନ । ଯେଉଁଥିରେ CDS ବିପିନ ରାୱତଙ୍କ ସହ ସହିଦ୍ ହୋଇଯାଇଛନ୍ତି ଓଡିଆ ପୁଅ ରାଣାପ୍ରତାପ ଦାସ । ଗତକାଲି(ଶୁକ୍ରବାର) ବିପିନ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଅନ୍ୟ ମୃତ ବାୟୁସେନା ଯବାନଙ୍କ ଏବେ ବି ଚିହ୍ନଟକରଣ ଚାଲିଛି । ଚିହ୍ନଟ ପରେ ସେମାନଙ୍କ ଜନ୍ମମାଟିକୁ ପଠାଯିବ ମରଶରୀର । ଇତିମଧ୍ୟରେ ଓଡିଆ ପୁଅ ରାଣାପ୍ରତାପଙ୍କ ମୃତଦେହ ଚିହ୍ନଟ ହୋଇସାରିଲାଣି । ଏବେ କେବଳ ନିଜ ବୀରପୁତ୍ରକୁ ଅନାଇ ବସିଛି ଜନ୍ମମାଟି ଅନୁଗୋଳ । ଦୁର୍ଘଟଣାକୁ ତିନି ଦିନ ବିତିଥିଲେ ସୁଦ୍ଧା ରାଣାଙ୍କୁ ଝୁରି ଝୁରି କାନ୍ଦୁଛି ଗାଁ କୃଷ୍ଣଚନ୍ଦ୍ରପୁର ।
ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି ବାୟୁଯୋଦ୍ଧା ରାଣାଙ୍କ ପାର୍ଥିବ ଶରୀର । ପରେ ତାଙ୍କର ଗାଁ ଅନୁଗୋଳ କଣ୍ଢାଳ ପଞ୍ଚାୟତସ୍ଥିତ କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୀରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏହାପୂର୍ବରୁ ସାଧାରଣ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ କରିପାରିବେ । ଯବାନଙ୍କ ଅନ୍ତିମ ସଂସ୍କାର ଏବଂ ଶେଷ ଦର୍ଶନ ପାଇଁ ଅନୁଗୋଳ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।
ଅନ୍ୟପଟେ ଲଢୁଆ ପୁଅକୁ ହରାଇ ଏବେ ବି ନିସ୍ତବ୍ଧ ରହିଛନ୍ତି ପରିବାର ଲୋକେ । ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ବାପାମାଆ ଏବଂ ଆତ୍ମୀୟ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ସାରା ଅଞ୍ଚଳ ଶୋକରେ ବୁଡି ରହିଛି ।
ଉଲ୍ଲେଖଯୋଗ୍ୟ, ରାଣାପ୍ରତାପ ଦାସ ବାୟୁସେନା ବିଭାଗରେ ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଗତ ବୁଧବାର କୁନ୍ନୁରରେ ଘଟିଥିବା ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାୱତ, ରାଣାପ୍ରତାପଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ