ଅନୁଗୋଳ: ଚାଙ୍ଗୁଡିଆ ସମବାୟ ସମିତିରେ ଋଣ ଟଙ୍କା ହଡପ ନେଇ ଥାନାର ଦ୍ବାରସ୍ଥ ହେଲେ ଚାଷୀ। ଏନେଇ ସମବାୟ ସମିତିର ସଭାପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଚାଙ୍ଗୁଡିଆ ସମବାୟ ସମିତିରେ ଚାଷୀଙ୍କ ଋଣ ଟଙ୍କା ହଡପ ହୋଇଥିବା ନେଇ ୫ରୁ ଊର୍ଦ୍ଧ୍ବ ଚାଷୀ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚାଙ୍ଗୁଡିଆ ସମବାୟ ସମିତିର ସଭାପତି ଓ କର୍ମଚାରୀମାନେ ଚଞ୍ଚକତା କରି ୫ଜଣ ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାମରେ କୃଷି ଋଣ କରାଇ ଟଙ୍କା ହଡପ କରିଛନ୍ତି । ଏହି ହଡପରେ ମାଷ୍ଟର ମାଇଣ୍ଡ ଭାବେ କାମ କରୁଥିଲେ ସମବାୟ ସମିତିର ସଭାପତି ଦିପକ ସାହୁ ।
ଚାଷୀଙ୍କ ଏହି ଅଭିଯୋଗ ମୁତାବକ ଛେଣ୍ଡିପଦା ପୋଲିସ ଘଟଣାର ତଦନ୍ତ କରିବା ସହିତ ପୋଲିସ ସମବାୟ ସମିତିର ସଭାପତି ଦିପକ ସାହୁ ଓ ସେକ୍ରେଟାରୀ ସଦାନନ୍ଦ ପ୍ରଧାନଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରା ଉଚରା ଚଳାଇଛି । ଅନ୍ୟ ପକ୍ଷରେ ଏହି ସମବାୟ ସମିତିରେ ୬୧୬ରୁ ଊର୍ଦ୍ଧ୍ବ ଚାଷୀ ଋଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ କେତେ ଚାଷୀଙ୍କ ଟଙ୍କା ଆତ୍ମସାତ ହୋଇଛି ତାହା ସବିଶେଷ ଭାବେ ଜଣାପଡିନାହିଁ।
ଏହି ଘଟଣା ପୋଲିସର ଖୋଳତାଡ ପରେ ଜଣାପଡିବ । ଉକ୍ତ ଘୋଟାଲାରେ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟକୁ ଏନଇଏଫଟି କରାଯାଇ ଚାଷୀଙ୍କ ଟଙ୍କାକୁ ହଡପ କରାଯାଇଛି । ଏହି ଘଟଣା ଜଣାପଡିବା ପରେ ସମିତିର ସଭାପତି ଘଟଣାକୁ ଚପାଇବା ପାଇଁ କିଛି ଚାଷୀଙ୍କୁ ଟଙ୍କା ଫେରାଇ ଥିବାବେଳେ ଆଉ କିଛି ଚାଷୀଙ୍କୁ ଟଙ୍କାଟିଏ ବି ଫେରାଇ ନାହାଁନ୍ତି । ଏହି ଘୋଟାଲାରେ ସମବାୟ ସମିତିର ବ୍ୟାଙ୍କ କର୍ମଚାରୀଙ୍କ ସହ ହାତ ଥିବା ନେଇ ଚାଷୀମାନେ ସନ୍ଦେହ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ