ଅନୁଗୋଳ: ଜିଲ୍ଲାରେ ବଢି ଚାଲିଛି ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ବିବାଦ । ଏହି ବିବାଦରେ ଉଭୟ ମଣିଷ ଓ ବନ୍ୟଜନ୍ତୁ ପ୍ରାଣ ହରାଉଛନ୍ତି । କେବଳ ସେତିକି ନୁହେଁ ବ୍ୟାପକ ଫସଲ କ୍ଷୟକ୍ଷତି ମଧ୍ୟ ହେଉଛି । କିନ୍ତୁ ଉଭୟଙ୍କ ମଧ୍ୟରେ ଚାଲିଥିବା ଏହି ଛକାପଞ୍ଝାକୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ଲଞ୍ଚ କରିଛି ଏକ ଆପ୍ । ରାଜ୍ୟରେ ପ୍ରଥମ କରି ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ 'ଅନୁଗୋଳ ବନ ସାଥୀ' ନାମକ ଏହି ମୋବାଇଲ ଆପ୍ ଲଞ୍ଚ କରାଯାଇଛି ।
ଏହି ଆପ ଜରିଆରେ ଯେକୌଣସି ବ୍ୟକ୍ତି ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ସମ୍ପର୍କରେ ସିଧାସଳଖ ମେସେଜ ଓ ଭଏସ ମେସେଜ ଜରିଆରେ ବିଭାଗକୁ ଜଣାଇପାରିବେ । ଆଉ ଏଥିରୁ ସୂଚନା ପାଇଁ ଠିକଣା ସ୍ଥାନରେ ସଠିକ ସମୟରେ ବନ ବିଭାଗ ଟିମ ପହଞ୍ଚି ହାତୀ ଓ ଅନ୍ୟ ବନ୍ୟଜନ୍ତୁମାନଙ୍କୁ ଘଉଡାଇପାରିବେ । ଯାହାଫଳରେ ମଣିଷ ଜୀବନ ଏବଂ ସମୟରେ ଫସଲ ନଷ୍ଟ ହେବାରୁ ମଧ୍ୟ ରୋକାଯାଇପାରିବେ । ତେବେ ଏହି ଆପ ନିଶ୍ଚିତ ଭାବେ ବନ୍ୟଜନ୍ତୁ ଉପଦ୍ରବ ଅଞ୍ଚଳର ଲୋକଙ୍କ ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି ଅନୁଗୋଳ ଡିଏଫଓ ।
ସେହିପରି ଏହି ଆପ ଯୋଗୁଁ ବନ୍ୟଜନ୍ତୁ ଉପଦ୍ରବ ଅଞ୍ଚଳର ଲୋକଙ୍କୁ ସମୟ ନଷ୍ଟ କରି ବନ ବିଭାଗ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ, ସେମାନେ ଏହି ଆପ୍ ଜରିଆରେ ନିଜର ଅଭିଯୋଗ କରିପାରିବେ । ଏହାଛଡା ଏହି ଆପରେ ଚାରା ସମ୍ପର୍କିତ ସମସ୍ତ ତଥ୍ୟ ମଧ୍ୟ ଜଣାପଡିବ । ଏସବୁ ଦୃଷ୍ଟିରୁ ଏହି ଆପ ସଫଳ ହେଲେ ସାରା ରାଜ୍ୟରେ ଥିବା ବନଖଣ୍ଡ ଗୁଡିକରେ ଏହାକୁ କାର୍ଯ୍ୟକାରୀ କରାଯିବ । ସେପଟେ ବନ ବିଭାଗର ଏଭଳି ପଦକ୍ଷେପକୁ ବନ୍ୟଜନ୍ତୁ ଉପଦ୍ରବ ଅଞ୍ଚଳର ଲୋକେ ଏବଂ ପରିବେଶବିତ ସ୍ବାଗତ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ