ଅନୁଗୋଳ: ଜିଲ୍ଲାରେ ବଢ଼ିବାରେ ଲାଗିଛି ହାତୀ ଓ ମଣିଷ ଲଢ଼େଇ । ଏହି ଲଢ଼େଇରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଆଜି(ଶୁକ୍ରବାର) ଜରପଡ଼ା ବନାଞ୍ଚଳ ପରା ଗାଁ ପଣସତଇଳା ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀ ଜୀବନ ହରାଇଛନ୍ତି।
ମୃତ ଚାଷୀ ଜଣକ ପରା ଗାଁର ସୋମନାଥ ସାହୁ ବୋଲି ଜଣାପଡ଼ିଛି । ସୋମନାଥ ସକାଳେ ପଣସତଇଳା ନିକଟରେ ଥିବା ନିଜ ବାଇଗଣ କ୍ଷେତକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
ଖବର ପାଇବା ପରେ ଜରପଡ଼ା ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଉଗ୍ର ଦନ୍ତା ହାତୀଟି ସେହି ଅଞ୍ଚଳରେ ଗତ ୧୫ ଦିନ ହେବ ରହି ଫସଲ ନଷ୍ଟ କରୁଛି । ଲୋକଙ୍କୁ ଗୋଡ଼ାଇବା ସହିତ ଆତଙ୍କ ଖେଳାଇଛି ଦନ୍ତାହାତୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ