ଅନୁଗୋଳ: ବିଷାକ୍ତ ମଦ ମୃତ୍ୟୁ ପରେ ଅବାକାରୀ ବିଭାଗର ପଶିଲା ବୁଦ୍ଧି । ଚୋରା ମଦ ଯୋଗୁଁ 4 ଜଣଙ୍କ ଜୀବନ ଗଲାପରେ ଅବକାରୀ ଧରୁଛି ଚୋରା ମଦ । ସରଧାପୁର ପଞ୍ଚାୟତ ପଥରଗଡ ଗାଁ ମଦ ମୃତ୍ୟୁ ପରେ ଚେଇଁ ଶୋଇଥିବା ଅବକାରୀ ବିଭାଗ ତା'ର ପାରିବା ପଣିଆ ଦେଖାଇଛି । ଗତ ଦୁଇ ଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବହୁ ପରିମାଣର ଚୋରା ଦେଶୀ ମଦ ଜବତ କରିଛି ।
ବିଭାଗର ସୂଚନା ମୁତାବକ, ସମ୍ବଲପୁର ଓ କଟକ ପାଲିଂ ସ୍କ୍ବାର୍ଡ, ଜିଲ୍ଲାର ସ୍ବତନ୍ତ୍ର ଟିମ ଜରପଡା ଓ ରେଙ୍ଗାଲୀ ଥାନା ଅଞ୍ଚଳରୁ 9 ଜଣ ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରିଥିବା ବେଳେ 3 ହଜାର ଲିଟର ମଦ ଓ 3 ହଜାର 600 କେଜି ମହୁଲ ପୋଚ ଜବତ କରାଯାଇଛି । ଏହାସହ ଏକ କାର ଓ ଏକ ମଟର ସାଇକେଲ ମଧ୍ୟ ଜବତ ହୋଇଛି । ତେବେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ବିଷାକ୍ତ ମଦ ପିଇ ସରଧାପୁର ପଞ୍ଚାୟତର ପଥରଗଡ ଗାଁରେ ଚାରିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ