ଅନୁଗୋଳ: ବଞ୍ଚିଗଲା ଗଜରାଜଙ୍କ ଜୀବନ । ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ କୂଅରେ ପଡି ଛଟପଟ ହେଉଥିବା ହାତୀ ଶେଷରେ ଜଙ୍ଗଲକୁ ଫେରିଛି । ଅନୁଗୋଳ ବନଖଣ୍ଡର ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଦୀର୍ଘ ଘଣ୍ଟା ଧରି ପଡ଼ି ରହିଥିବା ହାତୀକୁ ଶେଷରେ ଉଦ୍ଧାର କରିଛି ବନ ବିଭାଗ । ଏକ ମାଟି ତଡ଼ା ମେସିନ ସାହାଯ୍ୟରେ ଗାତ ଖୋଳି ହାତୀଟିକୁ ଉଦ୍ଧାର କରାଯାଇଛି।
ହାତୀଟିକୁ ଉଦ୍ଧାର କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା। କୌଣସି କାରଣବଶତଃ ହାତୀଟି ଏକ କୂଅରେ ଖସି ପଡ଼ିଥିଲା। ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ।। ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଥିଲା।
ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏହି ହାତୀଟି ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା। ଆଜି ସକାଳୁ ଗ୍ରାମବାସୀ ହାତୀଟିକୁ କୂଅରେ ପଡ଼ିଥିବା ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଦ୍ଧାର ହେବା ପରେ ହାତୀଟି ପାଖ ଜଙ୍ଗଲ ଆଡ଼କୁ ଚାଲି ଯାଇଥିବା ଦେଖିବାକୁ ମିଳିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ