ଅନୁଗୋଳ: ଚାଷୀଙ୍କ ପାଇଁ ଏବେ ବୈରି ସାଜିଛି ହାତୀ । ଗୋଟିଏ ଦିନରେ ହାତୀପଲ ଉଜାଡ଼ି ଦେଉଛନ୍ତି ବର୍ଷକର ଫସଲ । ଯେଉଁ ଫସଲ ବିକି ଚାଷୀ ତାର ସଂସାର ଚଲାଇଥାନ୍ତା, ତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି ହାତୀ । ଏଭଳି ସ୍ଥିତି ଉପୁଜିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ବନ୍ତଳା ରେଞ୍ଜ ଅଞ୍ଚଳର ଅଧିକାଂଶ ଗାଁର ଚାଷୀଙ୍କୁ ମାଡିଆସୁଛି ହାତୀ ଭୟ ।
ଏହି ବନ୍ତଳା ରେଞ୍ଜର ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଜୀବିକା ଚାଷ । ହେଲେ ଏବେ ଏହି ଜୀବିକା ଉପରେ ଦାଉ ସାଧୁଛନ୍ତି ହାତୀ । ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ । ଅନେକ ଆଶା ଭରସା କରି ଶ୍ରମ ଲଗାଇ ଫସଲ ଅମଳ କରୁଛନ୍ତି । ହେଲେ ଅମଳ ଫସଲ ବିକ୍ରି ହେବା ପୂର୍ବରୁ ହାତୀ ସବୁ ଉଜାଡି ଦେଉଛି । ଖାଲି ସେତିକି ନୁହେଁ ହାତୀ ଆକ୍ରମଣରେ ଏଥର ଏହି ସବୁ ଅଞ୍ଚଳରେ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଗତ 4 ବର୍ଷ ହେବ ଚାଷୀମାନେ ଋଣ କରି ଫସଲ କରୁଥିଲେ ମଧ୍ୟ ହାତୀ ଉପଦ୍ରବ ଯୋଗୁଁ ଋଣ ଟଙ୍କା ମଧ୍ୟ ସୁଝିପାରୁ ନଥିବା ଅଭିଯୋଗ କରିଛନ୍ତି । ଏନେଇ ବନବିଭଗ ଅଧିକାରୀଙ୍କ କହିବା କଥା ଯାହା କ୍ଷତି ହେଉଛି ତାର କ୍ଷତି ପୂରଣ ଦିଆଯାଉଛି । ହାତୀ ଘଉଡ଼ାଇବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ହାତୀ ଉପଦ୍ରବର ଯଦି ବିଭାଗ ସ୍ଥାୟୀ ସମାଧାନ ନ କରେ ତେବେ ଅଞ୍ଚଳର ଚାଷୀ ଚାଷ ଛାଡି ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ