ଅନୁଗୋଳ: ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ଜଣାଶୁଣା ଅନୁଗୋଳର ମହାନଦୀ ସାତକୋଶିଆ ଗଣ୍ଡ । ଏଠାକାର ଶାନ୍ତ ପରିବେଶ, ଉପଯୁକ୍ତ ଖାଦ୍ୟ ଓ ସୁରକ୍ଷିତ ସ୍ଥାନ ପାଇଁ ପ୍ରତିବର୍ଷ ଡିସେମ୍ବରରୁ ନେଇ ଜାନୁଆରୀ ମାସ ଯାଏଁ ବହୁ ସଂଖ୍ୟାରେ ଦେଶୀ ଓ ବିଦେଶୀ ପକ୍ଷୀ ଦେଖା ଯାଆନ୍ତି । ଏହି ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ତେବେ ଏଭଳି ଏକ ପ୍ରାକୃତିକ ପରିବେଶରେ ଏବେ କମୁଛି ପକ୍ଷୀଙ୍କ ସଂଖ୍ୟା । ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ଆଶା ଠାରୁ କମ୍ ରହିଛି । ସେହିପରି କୁମ୍ଭୀରଙ୍କ ସଂଖ୍ୟାରେ ମଧ୍ୟ ଏଥର କୌଣସି ବୃଦ୍ଧି ହୋଇ ପାରିନାହିଁ ।
ଏହାକୁ ନେଇ ପରିବେଶବିତ ଅଶୋକ ଶତପଥୀ କହିଛନ୍ତି, ''ଏହି ସ୍ଥାନକୁ ଅଧିକ ନିରୋଳା ରଖିବା ଆବଶ୍ୟକ । କାରଣ ଏହି ବିଦେଶୀ ପକ୍ଷୀମାନେ ନିରୋଳା ରହିବାକୁ ବେଶ ପସନ୍ଦ କରନ୍ତି । ହେଲେ ଏଠାରେ ଅଧିକ ଚଳପ୍ରଚଳ ସହ ମାଛ ମରାଯିବା ଯୋଗୁଁ ଭୟରେ ପକ୍ଷୀମାନେ ଆସୁନାହାଁନ୍ତି । ତେଣୁ ଏଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଗଲେ ଆଗାମୀ ଦିନରେ ପକ୍ଷୀଙ୍କ ସଂଖ୍ୟା ବଢ଼ିପାରେ ।''
ଗତ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଗଣ୍ଡରେ କରାଯାଇଥିବା ପକ୍ଷୀ ଓ କୁମ୍ଭୀର ଗଣନାରୁ ଏହା ଜଣାପଡ଼ିଛି । ଏହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିବାସହ ବିଶେଷଜ୍ଞମାନଙ୍କ ଦ୍ଵାରା ଏଭଳି ସ୍ଥିତିର ଅନୁଧ୍ୟାନ କରାଯିବା ଉଚିତ ବୋଲି କହିଛନ୍ତି । ଚଳିତ ବର୍ଷ ଗଣନା ଅନୁସାରେ ସାତକୋଶିଆ ଗଣ୍ଡରେ ୬ଟି ଘଡ଼ିଆଳ ଓ ୮୩ଟି କୁମ୍ଭୀର ଏହିପରି ମୋଟ ୯୦ଟି କୁମ୍ଭୀର ଥିବା ଜଣାପଡ଼ିଛି । କିନ୍ତୁ ଗତବର୍ଷ ୬୬ଟି କୁମ୍ଭୀର ଓ ୬ଟି ଘଡ଼ିଆଳ ଭଳି ମୋଟ୍ ୭୨ଟି କୁମ୍ଭୀର ଥିଲେ । ଗତବର୍ଷ ନନ୍ଦନକାନନରୁ ପର୍ଯ୍ୟାୟ କ୍ରମେ ୧୯ଟି ଘଡ଼ିଆଳ ଛଡାଯାଇଥିଲା । ହେଲେ ଏବେ ସେମାନଙ୍କରେ କୌଣସି ପତ୍ତା ମିଳୁନାହିଁ ।
ସେହିପରି ଗତ ବର୍ଷ ଗଣ୍ଡରେ ୨୮ଟି ଘଡ଼ିଆଳ ଜନ୍ମ ନେଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ଗୋଟିଏ ଛୁଆ ଦେଖିବାକୁ ମିଳିଛି। ସେହି ହିସାବ ଦେଖିବାକୁ ଗଲେ ଘଡ଼ିଆଳ ସଂଖ୍ୟା ଆଶାତୀତ ଭାବେ କମି ଯାଇଛି । ଚଳିତ ବର୍ଷ ଗଣନାରୁ ୬୩ ପ୍ରଜାତିର ୩୮୭୮ଟି ପକ୍ଷୀ ଆସିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସାତକୋଶିଆର ମୁଖ୍ୟ ଆକର୍ଷଣ ହେଉଛନ୍ତି ଇଣ୍ଡିଆନ ସ୍କିମର ନାମକ ଏକ ପକ୍ଷୀ । ଶୀତ ଦିନେ ଏହି ଦେଶୀୟ ପକ୍ଷୀ ଅସଂଖ୍ୟ ଦେଖା ଯାଆନ୍ତି । କିନ୍ତୁ ଚଳିତ ବର୍ଷ ମାତ୍ର ୧୯୨ଟି ଗଣନା କରାଯାଇଛି । ଏମିତି ଅନେକ ବିରଳ ପ୍ରଜାତିର ପକ୍ଷୀ ଏବର୍ଷ ଦେଖିବାକୁ ମିଳି ନାହିଁ । ପ୍ରକୃତରେ ଏହାର କାରଣ କଣ ତାହା ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି।
ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ ଏବଂ ଜୀବ ବିଜ୍ଞାନୀମାନେ ଏହାକୁ ଖଣ୍ଡନ କରିଛନ୍ତି । ସାତକୋଶିଆ ଗଣ୍ଡ ଏଭଳି ଏକ ପରିବେଶ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏଠାରେ ପର୍ଯ୍ୟାପ୍ତ ଖାଦ୍ୟ ଅଛି । ପକ୍ଷୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ ରହିଛି । ତେଣୁ ବିଦେଶାଗତ ପକ୍ଷୀ ଆସୁଛନ୍ତି । ତେବେ ବର୍ତ୍ତମାନ ଜଳବାୟୁରେ ଘୋର ପରିବର୍ତ୍ତନ ଯୋଗୁଁ ମଧ୍ୟ ପକ୍ଷୀମାନଙ୍କ ଆଗମନ ଉପରେ ପ୍ରଭାବ ପଡୁଛି । ଏହାଛଡା ଗଣ୍ଡରେ ଯେତେ ମାଛ ଅଛି ତାହାର ଅଧିକାଂଶ ଭାଗ ମଣିଷ ଧରୁଛି । ତେଣୁ କେବଳ ମାଛ ଖାଇ ବଞ୍ଚୁଥିବା ବିରଳ ଘଡ଼ିଆଳ କୁମ୍ଭୀର ପର୍ଯ୍ୟାପ୍ତ ମାଛ ପାଇ ପାରୁ ନାହିଁ । ସେଥିପାଇଁ ଘଡ଼ିଆଳ ଏଠାରେ ରହୁନଥିବା ଅନୁମାନ କରାଯାଉଛି ।
ସାତକୋଶିଆ ଗଣ୍ଡ ବିଶ୍ବସ୍ତରୀୟ ରାମସାଟ ୱେବ୍ସାଇଟରେ ସ୍ଥାନ ପାଇଛି । ତେଣୁ ସରକାର ସାତକୋଶିଆ ଗଣ୍ଡର ସୁରକ୍ଷା ପ୍ରତି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ଅତ୍ୟଧିକ ମାଛ ମାରିବା, ଡଙ୍ଗାରେ ଯାତାୟାତ କରିବା ଉପରେ କଟକଣା ଲଗାଯିବା ଆବଶ୍ୟକ । ଏଥିସହ ଗଣ୍ଡର ଭିତର ଅଞ୍ଚଳକୁ ଜନଶୂନ୍ୟ ଅଞ୍ଚଳ ଭାବେ ଘୋଷଣା କରିବା ଭଳି କଠୋର ପଦକ୍ଷେପ ନେବା ଆବଶ୍ୟକ ।
ଇଟିଭି ଭାରତ, ଅନୁଗୋଳ