ଅନୁଗୋଳ: ମହାନଦୀର ସାତକୋଶିଆ ଗଣ୍ଡରେ ହେବ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଛି ବୁଝାମଣା । ପ୍ରାଥମିକ ପର୍ଯ୍ୟାୟରେ ୫ଟି କୁମ୍ଭୀର ଗଣ୍ଡରେ ଛଡାଯାଇଛି। ନିକଟ ଭବିଷ୍ୟତରେ ଆଉ ୬ଟି କୁମ୍ଭୀର ଛାଡିବାକୁ ହୋଇଛି ନିଷ୍ପତ୍ତି। ତେବେ ଏହାର ସଫଳତାକୁ ନେଇ ପରିବେଶବିତ ଉଠାଇଛନ୍ତି ପ୍ରଶ୍ନବାଚୀ ।
ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ମହାନଦୀର ସାତକୋଶିଆ ଗଣ୍ଡରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ । ଏହି ପ୍ରକୃତିକ ଆବାସସ୍ଥଳୀରେ କିଭଳି ପୁଣିଥରେ କୁମ୍ଭୀର ରହିବେ ସେନେଇ ଅଣ୍ଟା ଭିଡିଛି ବନବିଭାଗ । ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ପାଇଁ ନନ୍ଦନକାନନ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଗତ ୧୯୭୫ରୁ ୧୯୮୭ ଏହି ଗଣ୍ଡରେ ପ୍ରାୟ ୮୦୦ ଘଡ଼ିଆଳ କୁମ୍ଭୀର ଛଡା ଯାଇଥିଲା । ଏବେ ସେମାନେ କୁଆଡେ ଗଲେ ତାହାର କୌଣସି ହିସାବ ନାହିଁ । ସଂରକ୍ଷଣ ଅଭାବରୁ ସବୁ ମରିହଜି ଗଲେ । ଏବେ ପୁଣି ଅଣ୍ଟା ଭିଡ଼ିଛି ବନ ବିଭାଗ। ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯିବାର ଆବଶ୍ୟକତା ରହିଛି । ଯଦି ତାହା କରା ନଯାଏ ତେବେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏହି ପ୍ରକଳ୍ପ ବିଫଳତାର କାରଣ ହେବ ବୋଲି ପରିବେଶବିତ୍ ମତ ଦେଇଛନ୍ତି ।
ଯେତେବେଳେ ଯେଉଁ ପ୍ରକଳ୍ପ ହୋଇଛି ସେତେବେଳେ କେବଳ ସ୍ଥାନୀୟ ଲୋକେ ହିଁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ହାତୀ ପ୍ରକଳ୍ପ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଛି, ବହୁ ଜୀବନ ଯାଉଛି। ସେହିଭଳି ବ୍ୟଘ୍ର ପ୍ରକଳ୍ପ ଯୋଗୁଁ ଅକାଳରେ କିଛି ଲୋକଙ୍କ ଜୀବନ ଯାଇଛି । ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।
ଶେଷରେ ମହାବଳ ବାଘର ମୃତ୍ୟୁ ହେବା ଯୋଗୁଁ ବ୍ୟଘ୍ରପ୍ରକଳ୍ପ ଏକ ପ୍ରକାର ବନ୍ଦ ହୋଇଯାଇଛି । ଯଦି କୁମ୍ଭୀର ପ୍ରକଳ୍ପ କରାଯାଉଛି, ତେବେ ଅଞ୍ଚଳବାସୀଙ୍କ ସହମତିରେ କରିବାକୁ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଦାବି କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ